କନକ ବ୍ୟୁରୋ: ସମର୍ଥ ଅନୁଷ୍ଠାନରେ ଅନ୍ତେବାସୀଙ୍କୁ ମାଡ ମାରିବା ପରେ ଖୋଲୁଛି କଳା କାରନାମାର ପେଡ଼ି । ଅନୁଷ୍ଠାନରେ ବର୍ଷେ ଭିତରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଅଧିକାର ଆଇନରୁ ଜଣାପଡିଛି । କିନ୍ତୁ ଏ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପାଖରେ ଖବର ନାହିଁ । ଅନ୍ୟପଟେ ଦିବ୍ୟାଙ୍ଗଙ୍କୁ ମାଡ ଘଟଣାରେ ଆକ୍ସନକୁ ଆସିଛି ଜିଲ୍ଲା ପ୍ରଶାସନ ।
- ଆଶ୍ରୟ ନାଁରେ ‘ସମର୍ଥ’ରେ ନିର୍ଯାତନା
- ବର୍ଷକରେ ମରିଛନ୍ତି ୬ ଅନ୍ତେବାସୀ
ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଅନ୍ତେବାସୀଙ୍କୁ ମାଡ ମାରିବା ଘଟଣା ଭିଡିଓ ଭାଇରାଲ ହେବା ପରେ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଅନୁଷ୍ଠାନର ସାଂଘାତିକ ସତ । ସୂଚନା ଅଧିକାର ରିପୋର୍ଟ କହୁଛି, ସମର୍ଥରେ ବର୍ଷକରେ ମଲେଣି ୬ଜଣ ଅନ୍ତେବାସୀ । ତେବେ ଏମାନଙ୍କ ମୃତ୍ୟୁ କେମିତି ହେଲା ତାହା ସନ୍ଦେହକୁ ବଢ଼ାଇ ଦେଇଛି। ଆଶ୍ରୟ ନାଁରେ ଭିନ୍ନକ୍ଷମଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଏତେ ଲୋକଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।
- ଦିବ୍ୟାଙ୍ଗଙ୍କୁ ନିର୍ଯାତନା, ଆକ୍ସନରେ ପ୍ରଶାସନ
- ଆର୍ଥିକ କାରବାରର ହେବ ତଦନ୍ତ
ସୋମବାର ଅନ୍ତେବାସୀଙ୍କୁ ନିର୍ଯାତନା ଭିଡିଓ ସାମ୍ନାକୁ ଆସିବା ପରେ ଆକ୍ସନକୁ ଆସି ପୁଲିସ କଡା କାର୍ଯ୍ୟାନୁଷ୍ଠାନ ନେଇଛି । ଜେଲ ଯାଇଛନ୍ତି ଅନୁଷ୍ଠାନର ସମ୍ପାଦକ ଓ ସହାୟିକା । ଗତକାଲି ସମ୍ପାଦକ ହରିଶ ଚନ୍ଦ୍ର ଦାସ ଗିରଫ ହୋଇଥିବାବେଳେ ଆଜି ମହିଳା କେୟାର ଟେକର ଗିରଫ ହୋଇଛନ୍ତି । ଏହାଛଡା ୪ ଜଣ ଅଧିକାରୀ ଘଟଣାର ତଦନ୍ତ କରିବେ । କେତେ ଜଣ ଥିଲେ ଓ କେତେ ଜଣଙ୍କର ମୃତ୍ୟୁ ହେଲା ସବୁ ଘଟଣାର ତଦନ୍ତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସମର୍ଥ ଅନୁଷ୍ଠାନର ଆର୍ଥିକ କାରବାର ଉପରେ ମଧ୍ୟ ତଦନ୍ତ ହେବ । ସଂସ୍ଥାକୁ କଳା ତାଲିକାଭୁକ୍ତ ବି କରାଯାଇଛି । ପ୍ରଶ୍ନ ଉଠୁଛି, ଜିଲ୍ଳା ପ୍ରଶାସନ ଏତେ ଦିନ ପର୍ଯ୍ୟନ୍ତ କରୁଥିଲା କଣ? କାହିଁକି ହୋଇନଥିଲା କାର୍ଯ୍ୟାନୁଷ୍ଠାନ?