କନକ ବ୍ୟୁରୋ: ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା ସାରା ଓଡ଼ିଶାର ମୁଣ୍ଡ ତଳକୁ କରିଦେଇଛି। ବିଶେଷ କରି ମେଜର ଗୁରୁବଂଶ ସିଂଙ୍କ ବାନ୍ଧବୀ ଗତକାଲି ଗଣମାଧ୍ୟମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଜାତୀୟସ୍ତରରେ ଏହାକୁ ନେଇ ଚର୍ଚ୍ଚା। ସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ପିଏସ୍ ସେଖାୱତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏନେଇ ଚିଠି ଲେଖିଛନ୍ତି। ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଅନୁରୋଧ କରିଛନ୍ତି ସେନା ଅଧିକାରୀ। ତେବେ ମାମଲା ବିଗୁଡୁଥିବା ଦେଖି ପ୍ରଥମଥର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁରା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦେଇଛନ୍ତି ଆଶ୍ୱାସନା।
ଏତିକିବେଳେ ମହିଳା ନିର୍ଯାତନାକୁ ପ୍ରସଙ୍ଗ କରି ମୋହନ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କୋର୍ଟଙ୍କ ତତ୍ତ୍ବାବଧାନରେ SIT ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ସେପଟେ ବିଜେପି ସରକାର ବିରୋଧରେ ଦିଲ୍ଲୀରେ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ୍। ମଣିପୁର ଓ ମଧ୍ୟପ୍ରଦେଶ ଘଟଣା ସହ ଓଡ଼ିଶାର ଘଟଣାକୁ ତୁଳନା କରିଛନ୍ତି କଂଗ୍ରେସ ନେତ୍ରୀ। ଏପଟେ ପୁରା ଘଟଣାରେ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ।
ତେବେ ସେଦିନ ଭରତପୁର ଥାନାରେ କ’ଣ ଘଟିଥିଲା? ତାର ଏକ୍ସକ୍ଲୁସିଭ୍ ଭିଜୁଆଲ କନକ ନ୍ୟୁଜ୍ ହାତରେ ଲାଗଛି। ପୋଲିସ ଅଧିକାରୀ ଏବଂ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ସେଦିନ ରାତିରେ ହୋଇଥିବା ଯୁକ୍ତିତର୍କର ଭିଡିଓ ରେକର୍ଡି କରାଯାଇଛି। ଭିଡିଓରେ ଯୁବତୀ ଜଣଙ୍କ ମହିଳା ଏଏସଆଇଙ୍କୁ ନାଇଟି ପିନ୍ଧିବାକୁ ନେଇ ପ୍ରଶ୍ନ କରୁଥିବା ଦେଖାଯାଉଛି । ଯୁବତୀ ନିଜେ ମଧ୍ୟ ସେହି ସମୟର ଭିଡିଓକୁ ମୋବାଇଲ କ୍ୟାମେରାରେ କଏଦ କରିଛନ୍ତି। ବଡ଼କଥା ହେଉଛି ଅଭିଯୁକ୍ତ ଆଇଆଇସିଙ୍କ ସମେତ ୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ହୋଇଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ଗିରଫ କରାଯାଇନାହିଁ।