କନକ ବ୍ୟୁରୋ: ଲଗାଣ ବର୍ଷା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପାଇଁ କାଳ ସାଜିଛି । ଗତ ୨୫ ଦିନ ମଧ୍ୟରେ ଜୟପାଟଣାରେ ୧୬୦ ମିଲି ମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଫଳରେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାହା ଫସଲ ଉଜୁଡ଼ିଯାଇଛି ତ’ ଆଉ କାହାର ଘର ଭାଙ୍ଗିଯାଇଛି । ଜୀବନ ଜୀବିକା ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଜୟପାଟଣାବାସୀ । 

Advertisment

ଜୁଲାଇ ମାସର ୧୦ ଦିନ ଗଲାଣି, କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ରବି ଧାନ ଅମଳ ସରିନି । ଲଗାଣ ବର୍ଷା ଯୋଗୁଁ  ଧାନ ଅମଳ ହୋଇନପାରି ନଷ୍ଟ ହେଉଛି । ଯାହା ଅମଳ ହୋଇଥିଲା ବର୍ଷା ଓ କୋହଳା ପାଗ ଯୋଗୁଁ ଖଳାରେ ଭିଜି ଗଜା ହୋଇଯାଇଛି । ଅନ୍ୟପଟେ ଗତ ଜୁନ୍‌ ୩୦ରୁ ମଣ୍ଡି ବନ୍ଦ ହୋଇଯିବାରୁ ଗଜା ଧାନକୁ କ'ଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।

ବର୍ଷା କେବଳ ଚାଷ ପ୍ରଭାବିତ କରିଛି ତା' ନୁହେଁ, ବାସ ବି ଉଜାଡ଼ି ଦେଇଛି । ଜୟପାଟଣା ଲାଖଲଚାପଡ଼ାର ଉଗ୍ରସେନ ମାଝୀଙ୍କ ମାଟି ଘର ମାଟିରେ ମିଶି ଯାଇଛି। ଘରର ସମସ୍ତ ଆସବାପତ୍ର, ଖାଦ୍ୟ ସାମଗ୍ରୀ ସବୁ ନଷ୍ଟ ହୋଇଯାଇଛି। ବାସହରା ହୋଇଯାଇଛନ୍ତି ଉଗ୍ରସେନ ଓ ତାଙ୍କ ସ୍ତ୍ରୀ ଅନୁ। ଦୀର୍ଘ ଦିନରୁ ଆବାସ ଯୋଜନାରେ ଘରଟିଏ ପାଇଁ ଆବେଦନ କରୁଥିଲେ ସୁଦ୍ଧା ପ୍ରଶାସନର ନଜର ନପଡ଼ିବାରୁ ଆଜି ଏଦିନ ଦେଖିବାକୁ ପଡୁଛି ।
ସରକାର ତୁରନ୍ତ ଏମାନଙ୍କ ଚାଷୀଙ୍କ ଦୁଃଖ ବୁଝି କ୍ଷତିପୂରଣ ଦେବା ସହ ଆବାସ ଘରଟିଏ ଯୋଗାଇଦେବାକୁ ଦାବି ହୋଇଛି ।