କନକ ବ୍ୟୁରୋ: ଶନିବାରଠାରୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେଉଥିବାବେଳେ ତାହାକୁ ନେଇ ଏବେଠାରୁ ପ୍ରସଂଶକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ଏଥର ମୋଟ ୨୦ଟି ଦଳ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି, ତେବେ ସମସ୍ତଙ୍କ ନଜର ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍ ଉପରେ ରହିବ । କାରଣ ଏସବୁ ଦଳରେ ଏପରି ଖେଳାଳି ଅଛନ୍ତି ଯେଉଁମାନେ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିବାର କ୍ଷମତା ରଖନ୍ତି । କେବଳ ଏସବୁ ଦଳ ନୁହନ୍ତି ଅନ୍ୟ ଦଳଗୁଡ଼ିକରେ ବି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ରେକର୍ଡ କରିବାକୁ ପ୍ରସ୍ତୁତ । ଏବେ ଆସନ୍ତୁ ଜାଣିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ୫ଟି ବଡ଼ ରେକର୍ଡ ଉପରେ ।
୧. ଗୋଟିଏ ସଂସ୍କରଣରେ ସର୍ବାଧିକ ବିଜୟ : ଏହି ରେକର୍ଡଟି ଭାରତ ନାଁରେ ଅଛି । ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଲଗାତାର ୮ଟି ମ୍ୟାଚ ଜିତିଥିଲା । ଏହା ଟ୍ବେଣ୍ଟି-୨୦ ବିଶ୍ବକପର ଯେକୌଣସି ସଂସ୍କରଣରେ ଗୋଟିଏ ଦଳ ଦ୍ବାରା ହାସଲ କରାଯାଇଥିବା ସର୍ବାଧିକ ବିଜୟ । ନୂଆ ସଂସ୍କରଣରେ ଯେଉଁ ଦଳ ୯ଟି ମ୍ୟାଚ ଜିତିବ ସେହିଦଳ ଭାରତର ରେକର୍ଡ ଭାଙ୍ଗିବ ।
ଏହା ବି ପଢ଼ନ୍ତୁ: ୨୦୨୭ ବିଶ୍ବକପ୍ ଦଳରେ ରୋହିତ୍, ବିରାଟଙ୍କୁ ସାମିଲ କରିବା ସପକ୍ଷରେ ଧୋନୀ
୨. ସର୍ବାଧିକ ବ୍ୟକ୍ତିଗତ ରନ: ଏହି ରେକର୍ଡଟି ବିରାଟ କୋହଲିଙ୍କ ନାଁରେ ରହିଛି । ଟ୍ବେଣ୍ଟି-୨୦ ବିଶ୍ବକପରେ ସେ ମୋଟ ୩୫ଟି ମ୍ୟାଚ୍ ଖେଳି ମୋଟ ୧୨୯୨ ରନ କରିଛନ୍ତି । ତାଙ୍କ ତଳକୁ ଅଛନ୍ତି ଇଂଲଣ୍ଡର ଜସ୍ ବଟଲର୍ ଯିଏକି ୧୦୧୩ ରନ କରିଛନ୍ତି । ସେ ଆଗାମୀ ବିଶ୍ବକପରେ ଖେଳିବାକୁ ଯାଉଛନ୍ତ । ସେ ଯଦି ଆଉ ୨୮୦ ରନ କରନ୍ତି ତେବେ ବିରାଟଙ୍କ ରେକର୍ଡ ଭାଙ୍ଗିବ ।
୩. ସର୍ବାଧିକ ବ୍ୟକ୍ତିଗତ ସ୍କୋର: ଏହି ରେକର୍ଡଟି ନ୍ୟୁଜିଲାଣ୍ଡର ବ୍ରାଣ୍ଡନ ମାକୁଲମ୍ଙ୍କ ନାମରେ ରହିଛି, ଯାହାକି ସେ ୨୦୧୨ ଟ୍ବେଣ୍ଟି-୨୦ ବିଶ୍ବକପରେ ୫୮ଟି ବଲରୁ ୧୨୩ ରନ କରି ହାସଲ କରିଥିଲେ । ଏପର୍ଯ୍ୟନ୍ତ ୧୦ଜଣ ବ୍ୟାଟର ଏହି ବିଶ୍ବକପରେ ଶତକ ହାସଲ କରିଛନ୍ତି, କିନ୍ତୁ କେହି ମାକୁଲମଙ୍କ ସ୍କୋରକୁ ଟପିପାରିନାହାନ୍ତି । ଗତ ୧୬ ବର୍ଷ ହେଲା ଏହି ରେକର୍ଡ କାଏମ ରହିଛି ।
୪. ଗୋଟିଏ ସଂସ୍କରଣରେ ସର୍ବାଧିକ ରନ: ଏହି ରେକର୍ଡ ବି ବିରାଟଙ୍କ ନାଁରେ ରହିଛି । ସେ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପରେ ୬ଟି ମ୍ୟାଚରେ ୪ଟି ଅର୍ଦ୍ଧଶତକ ସହ ମୋଟ ୩୧୯ ରନ କରିଥିଲେ । ଏଥରର ବିଶ୍ବକପରେ ଜଣେ ଖେଳାଳି ସର୍ବାଧିକ ୯ଟି ମ୍ୟାଚ୍ ଖେଳିବାକୁ ଥିବାରୁ ଏହି ରେକର୍ଡ ଭଙ୍ଗ ହେବାର ସମ୍ଭାବନା ରହିଛି ।
୫. ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା: ଓ୍ବେଷ୍ଟ ଇଣ୍ଡିଜ୍ର ନିକୋଲାସ୍ ପୁରନଙ୍କ ନାଁରେ ଏହି ରେକର୍ଡ ରହିଛି । ସେ ୨୦୨୪ ବିଶ୍ବକପରେ ୧୭ଟି ଛକା ମାରିଥିଲେ । ଏଥରର ବିଶ୍ବକପରେ ଛକା ମାରିବାରେ ଅନେକ ମାହିର ଖେଳାଳି ଥିବାରୁ ପୁରନଙ୍କ ରେକର୍ଡ ଭଙ୍ଗ ହୋଇପାରେ ।
Follow Us