କନକ ବ୍ୟୁରୋ: ଶ୍ରେୟସ ଆୟର । ଏହି ଖେଳାଳିଙ୍କ ଯେତେ ପ୍ରଶଂସା କଲେ ବି କମ୍ ହେବ । ଚଳିତ ଆଇପିଏଲରେ ତାଙ୍କ ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଥିଲା । କାରଣ ସେ ନିଜ ଅଧିନାୟକତ୍ୱରେ ଦଳକୁ ପ୍ଲେଅଫରେ ପହଞ୍ଚାଇଛନ୍ତି । ଆଉ ୪୦୦ରୁ ଅଧିକ ରନ କରି ପଞ୍ଜାବ ପାଇଁ ହୋଇଛନ୍ତି ସର୍ବାଧିକ ରନ୍ ସ୍କୋରର । କେବଳ ଏତିକି ନୁହେଁ । ଏ ସେହି ଖେଳାଳି ଯିଏ ଦିଲ୍ଲୀକୁ ନିଜ ଅଧିନାକତ୍ୱରେ ପ୍ରଥମଥର ଆଇପିଏଲ ଫାଇନାଲରେ ପହଞ୍ଚାଇଥିଲେ । କୋଲକାତା ପାଇଁ ଅଧିନାୟକତ୍ୱ କରି ତାକୁ ଚାମ୍ପିୟନ କରାଇଥିଲେ । କହିବାକୁ ଗଲେ ଶ୍ରେୟସ ଜଣେ ସଫଳ ଅଧିନାୟକତ୍ବ । ହେଲେ ଚୟନକର୍ତ୍ତାଙ୍କୁ କାହିଁକି ଦେଖାଗଲାନି ଶ୍ରେୟସଙ୍କ ସଫଳତା? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ..
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇସାରିଥିଲା ଭାରତୀୟ ଦଳ । ଏଥିରେ କାହାକୁ ନୂଆ କରି ସୁଯୋଗ ମିଳିଥିଲା ବେଳେ କିଏ ବହୁ ବର୍ଷ ପରେ ଦଳକୁ ଫେରିଛି । ହେଲେ ଲଗାତାର ଭାବେ ଫର୍ମ ଥିବା ଶ୍ରେୟସ ଆୟରଙ୍କୁ କିନ୍ତୁ ଏଥିରେ ଦେଖିବାକୁ ମିଳିନଥିଲା । ଏହାର କାରଣ କଣ? କଣ ଟେଷ୍ଟ ପ୍ରଦର୍ଶନ ନେଇ ଶ୍ରେୟସଙ୍କୁ ଭରସା କରିପାରୁନାହାନ୍ତି ଚୟନକର୍ତ୍ତା? ନା ଏହା ପଛରେ ରହିଛି ଆଉ କିଛି କାରଣ ।
ବିରାଟ ରୋହିତଙ୍କ ଟେଷ୍ଟରୁ ଅବସର ପରେ ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ରହିଛି । ଏମିତିରେ ଶ୍ରେୟସ ଆୟର ଜଣେ ଅଭିଜ୍ଞ ଖେଳାଳି । ତାଙ୍କୁ ଟେଷ୍ଟ ଟିମରେ ସ୍ଥାନ ମିଳିବା ନେଇ ଫ୍ୟାନ୍ସ ଆଶାୟୀ ଥିଲେ । ହେଲେ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ଜଣେ ଖେଳାଳି ଲଗାତାର ଭଲ ପ୍ରଦର୍ଶନ କରି ବି କେମିତି ଟିମରୁ ଡ୍ରପ୍ ହେଉଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ନିକଟରେ ରଣଜୀ ଟ୍ରଫି ସିଜିନରେ ତାଙ୍କ ଫର୍ମ ବେଶ ଭଲ ରହିଥିଲା । ଯେଉଁଠି ସିଏ ୬୮.୫୭ ଆଭରେଜରେ ୪୮୦ ରନ କରିଥିଲେ । ଯେଉଁଥିରେ ୨ ଶତକ ବି ସାମିଲ ଅଛି । ଏମିତିକି ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ହେବାକୁ ଥିବା ପ୍ରାକ୍ଟିସ ମ୍ୟାଚରେ ବି ତାଙ୍କୁ ସ୍ଥାନ ମିଳିନାହିଁ । ଯାହା କ୍ରିକେଟ ପ୍ରେମୀଙ୍କୁ ଆଘାତ ପହଞ୍ଚାଇଛି ।
ଶ୍ରେୟସ ଆୟର ଶେଷଥର ପାଇଁ ୨୦୨୪ ଫେବ୍ରୁଆରିରେ ଶେଷ ଥର ପାଇଁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲେ । ପିଠିରେ ଆଘାତ ଲାଗିବା କାରଣରୁ ଫର୍ମ ହରାଇବା ସହ ଟିମରେ ସ୍ଥାନ ମିଳିବା କଷ୍ଟକର ହୋଇପଡ଼ିଥିଲା । ହେଲେ ଏହାପରେ ଆୟର ଫର୍ମକୁ ଫେରିସାରିଛନ୍ତି । ସେ ଭାରତ ପାଇଁ ମୋଟ ୧୪ ଟେଷ୍ଟ ମ୍ୟାଚ ଖେଳି ୮୧୧ ରନ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଆଉ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ରେଡ୍ ବଲ କ୍ରିକେଟରୁ କାହିଁକି ଶ୍ରେୟସଙ୍କୁ ସୁଯୋଗ ଦିଆଯାଉନି ତାହା ବର୍ତ୍ତମାନର ବଡ଼ ପ୍ରଶ୍ନ । କାରଣ ରୋକୋଙ୍କ ଅବସର ପରେ ତାଙ୍କ ସ୍ଥାନ ନେବାରେ ଶ୍ରେୟସ ଜଣେ ଦାବିଦାର ଖେଳାଳି । ହେଲେ ଶ୍ରେୟସଙ୍କୁ ସାବତ ପୁଅ ଭଳି ବ୍ୟବହାର କରିବା ବିସିସିଆଇକୁ ପ୍ରେଶ୍ନଘେରରେ ଛିଡ଼ା କରିଛି ।