କନକ ବ୍ୟୁରୋ: ଭଲ ଗାଁ ବା ସହରଟିଏ ହେବାକୁ ହେଲେ ଭଲ ପରିବେଶଟିଏ ଦରକାର । ଆଉ ସେଥିପାଇଁ ଦରକାର ସବୁ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା । ହେଲେ ଏଠି ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଗାଁକୁ ଭଲ ରାସ୍ତାଟିଏ ନାହିଁ । ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । 

Advertisment

ଆଣ୍ଠେଇଛି ବିକାଶ 
ଗାଁକୁ ନାହିଁ ପକ୍କା ରାସ୍ତା

କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଅଧୀନ ଚାନ୍ଦୁଟିକିରା ଗାଁ ରାସ୍ତାର ଅବସ୍ଥା ପୂରା ସଙ୍ଗିନ । କେଉଁଠି ପାଦେ ତ ଆଉ କେଉଁଠି ଆଣ୍ଠୁଏ ଗାତ । କାଦୁଅ ପଚପଚ ରାସ୍ତାରେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକ । ସେହି ରାସ୍ତା ପାଇଁ ଗାଁକୁ ଆସେନି ଆମ୍ବୁଲାନ୍ସ । ସାଇକେଲ୍‌ କି ଭାରରେ ୪ରୁ ୫ କିମି ବୁହା ହୁଅନ୍ତି ରୋଗୀ । ବର୍ଷାଦିନେ ଗାଁଟି ପୂରା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଏ । ଲୋକେ ଏକପ୍ରକାର ବନ୍ଦୀ ଜୀବନ ବିତାଇଥାନ୍ତି ।

ଗାଁରେ ୨୫ରୁ ଅଧିକ ପରିବାର ବସବାସ କରନ୍ତି । ରାସ୍ତାର ଏପରି ଅବସ୍ଥା ପାଇଁ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷାରେ ବିରାଟ ବରଗଛ ରାସ୍ତା ଉପରେ ପଡ଼ି ରାସ୍ତାଟି ସମ୍ପୂର୍ଣ୍ଣ ଅବରୋଧ ହୋଇଛି । ହେଲେ କାହାର ଏଥିପ୍ରତି ଦୃଷ୍ଟି ନାହିଁ । ଅନ୍ୟପଟେ ବିଡିଓଙ୍କ ସେହି ଚିରାଚରିତ ଉତ୍ତର, ରାସ୍ତା ମରାମତି ଦିଗରେ ପଦକ୍ଷେପ ନିଆଯିବ । ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରି ସରକାର ରାସ୍ତାଟି ମରାମତି କରିବାର ଆବଶ୍ୟକତା ରହିଛି । 

(କୁଚିଣ୍ଡାରୁ ତପନ କୁମାର ଦାଶ)