କନକ ବ୍ୟୁରୋ: ପଛୁଆ ବର୍ଗ ସଂରକ୍ଷଣକୁ ନେଇ କଂଗ୍ରେସ ରାଜନୀତି ଏବେ ସରଗରମ । କାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ଆନ୍ଦୋଳନକୁ ବରିଷ୍ଠ ଆସିନଥିବାବେଳେ ଆଜି ବଦଳିଯାଇଥିଲା ଚିତ୍ର । କଂଗ୍ରେସରେ କୌଣସି କନ୍ଦଳ ନଥିବା ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି ଭକ୍ତ ।
ପଛୁଆ ବର୍ଗକୁ ୨୭% ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ୨୪ ଘଣ୍ଟିଆ ଧାରଣା ଦେଇଛି କଂଗ୍ରେସ । କିନ୍ତୁ ଧାରଣାର ଉଦ୍ଦେଶ୍ୟକୁ ନେଇ ଯେତିକି ନୁହେଁ, ଧାରଣା ସ୍ଥଳରେ ନେତାଙ୍କ ଯୋଗଦେବାକୁ ନେଇ ତା'ଠୁ ଅଧିକ ଚର୍ଚ୍ଚା ହେଉଛି । ପ୍ରଥମ ଦିନରେ ଧାରଣାସ୍ଥଳରେ ବରିଷ୍ଠଙ୍କ ଦେଖାନଥିଲା । କିନ୍ତୁ ଶୁକ୍ରବାର ଦ୍ବିତୀୟ ଦିନରେ ଧାରଣା ସ୍ଥଳରେ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଛି । ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା , ଶ୍ରୀକାନ୍ତ ଜେନା ଓ ମହମ୍ମଦ ମୋକ୍କିମ୍ ଧାରଣାସ୍ଥଳକୁ ଆସି ଏକାଠି ଥିବାର ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି ।
ସମସ୍ତେ ଏକାଠି ହୋଇ କଂଗ୍ରେସ ଭବନରୁ ଚାଲି ଚାଲି ଗାନ୍ଧି ମାର୍ଗକୁ ଆସି ଧାରଣାରେ ଯୋଗ ଦେଇଛନ୍ତି। ଗୁରୁବାର ବରିଷ୍ଠ ଆସିନଥିଲେ । ତେଣୁ ଆଲୋଚନା ହେଉଥିଲା, କମିଟି ଘୋଷଣା ପରେ ଅସନ୍ତୋଷ ହୋଇ ଭକ୍ତଙ୍କ ହାତ ଛାଡିଦେଲେ କି ବରିଷ୍ଠ? କିନ୍ତୁ ଆଜି ସବୁ ନେତା ଏକାଠି ହୋଇ କଂଗ୍ରେସ ଏକ ବୋଲି ଏକ ସନ୍ଦେଶ ଦେବାକୁ ଚେଷ୍ଟା କରିଛନ୍ତି । ନିକଟରେ ପିସିସି ସଭାପତି ଗଠନ କରିଥିବା କମିଟିକୁ ନେଇ ଅସନ୍ତୋଷ ଦେଖାଦେଇଛି । ହେଭିୱେଟ ଓ ସେମାନଙ୍କ ସମର୍ଥକଙ୍କୁ ସ୍ଥାନ ନ ମିଳିବାରୁ ଅସନ୍ତୋଷ ବଢିଛି । ଏଭଳି ସ୍ଥିତିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଆଜି ବି ନ ଆସିବା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି ।
ଶୁକ୍ରବାର କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟିର ବୈଠକ ବସିଛି । ଏଠାରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି । ଆଗାମୀ ଦିନରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଗାଁ ଗାଁରେ ଆନ୍ଦୋଳନ କରିବାକୁ କଂଗ୍ରେସ ପ୍ରସ୍ତୁତ ହେଉଛି ।