କନକ ବ୍ୟୁରୋ : କାଲି ସୁପର ସନଡେରେ ସୁପର ମୁକାବିଲା । ଆଜି ବାରବାଟୀରେ ରହିଛି ଅଭ୍ୟାସ ମ୍ୟାଚ । ଏନେଇ ଭୁବନେଶ୍ବରରୁ ବାରବାଟୀ ବାହାରିଲେ ଖେଳାଳି । ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ ଖେଳାଳି । ଆସନ୍ତାକାଲି ଖେଳାଯିବ ଇଂଲଣ୍ଡ-ଭାରତ ଦିନିକିଆ ମ୍ୟାଚ୍‌ । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ କରିବ ଅଭ୍ୟାସ।

Advertisment

ଖେଳାଳିମାନେ ଭୁବନେଶ୍ବର ମେ’ଫେୟାରରେ ରହୁଥିବାରୁ ଅଭ୍ୟାସ ଓ ରବିବାର ମ୍ୟାଚ୍ ପାଇଁ ପରିବହନ କରିବାକୁ ଓସିଏ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓସିଏ ପକ୍ଷରୁ ୫ଟି ସ୍ବତନ୍ତ୍ର ବସ୍ ସହ କିଛି ଇନୋଭା ଗାଡ଼ି କମିସନରେଟ ପୁଲିସକୁ ହସ୍ତାନ୍ତର କରାଯାଇଛି । ଷ୍ଟାଡିୟମରେ ମଧ୍ୟ ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଭୟ ଦଳର ଅଭ୍ୟାସ ପାଇଁ ସ୍ବତନ୍ତ୍ର ପିଚ୍ ନିର୍ମା‌ଣ ହୋଇଥିବା ବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶନିବାର ଖେଳାଳିମାନଙ୍କ ଅଭ୍ୟାସ ଦେଖିବା ପାଇଁ ଦର୍ଶକମାନଙ୍କୁ ଷ୍ଟାଡିୟମରେ ଗ୍ୟାଲେରି ନଂ-୫କୁ ଯିବା ସୁବିଧା କରାଯାଇଛି । ଦର୍ଶକଙ୍କ ଭିଡ଼କୁ ଅନୁମାନ କରି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମ୍ୟାଚ୍ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।