କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ଗଣେଶ ପୂଜା ପାଇଁ ବେଶ ପ୍ରସିଦ୍ଧ । ଏଠାରେ ଛୋଟ ବଡ଼ କରି ପ୍ରାୟ ୨୦୦ ମଣ୍ଡପରେ ପୂଜା ପାଇବେ ଗଜାନନ । ଏଥର ଜଟଣୀର ମହୁଲ ଗୁଡ଼ିଆ ଛକ, ରାଜା ବଜାର, ହରିଭାଇନା ଛକ, ପୋଷ୍ଟ ଅଫିସ ଛକ, ରେତଙ୍ଗ କଲୋନୀ ଆଦିର ମେଢ଼ ବେଶ ଉଚ୍ଚକୋଟିର ହୋଇଛି । ଏହାଛଡ଼ା ଭଳିକି ଭଳି ତୋରଣରେ ସଜେଇ ହେଉଛି ଗାଁରୁ ସହର । ମେଢ଼ ଓ ମଣ୍ଡପକୁ ଅନ୍ୟଠାରୁ ସ୍ୱତନ୍ତ୍ର କରିବାରେ ଲାଗିପଡ଼ିଛନ୍ତି କାରିଗର ଓ ପୂଜା କମିଟି ସଦସ୍ୟ । ଯୁବ ଅନୁଷ୍ଠାନ ଗୁଡ଼ିକ ଦିନରାତି ଲାଗି ସାଜସଜ୍ଜାରେ ଶେଷ ସ୍ପର୍ଶ ଦେଉଛନ୍ତି । 

Advertisment

ଗଜାନନଙ୍କୁ ଧୁମଧାମରେ ଆବାହନ କରିବାକୁ ଅନୁଗୁଳ ତାଳଚେର ସହରରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଶାଳ ବାଉଁଶ ତୋରଣ । ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୬ ଯାଏଁ ୧୧ ଦିନ ଧରି ଗଣେଶ ପୂଜା ଚାଲିବ ବୋଲି ସ୍ଥିର କରିଛି ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟି । ଏବର୍ଷ ତାଳଚେର ସହରରେ ପ୍ରାୟ ୧୦୦ରୁ ଅଧିକ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହେବ । ୭୦ରୁ ୮୦ ପୂଜା କମିଟି କେନ୍ଦ୍ରୀୟ କମିଟି ଦ୍ବାରା ଆୟୋଜିତ ମୂର୍ତ୍ତି, ତୋରଣ ସାଜସଜ୍ଜା ଓ ଭସାଣି ଶୋଭାଯାତ୍ରାରେ ଭାଗନେବେ । ଧାଡ଼ି ଧାଡ଼ି ହୋଇ ରଖାଯାଇଛି ଗଣପତିଙ୍କ ମୂର୍ତ୍ତି । କେଉଁଠି ଶିଳ୍ପୀ ବାଲ୍‌ ଗଣେଶଙ୍କୁ ଶେଷ ସ୍ପର୍ଶ ଦେଉଛନ୍ତି ତ ଆଉ କେଉଁଠି ତୂଳୀରେ ଗଜାନନଙ୍କୁ ପିନ୍ଧାଇ ଦେଉଛି ଆକର୍ଷଣୀୟ ପୋଷାକ । ଚଳିତବର୍ଷ ବାଲ୍ ଗଣେଶ ସବୁଠୁ ଅଧିକ ଟ୍ରେଣ୍ଡରେ ଥିବା କହିଛନ୍ତି ମୂର୍ତ୍ତି କାରିଗର । 

ପ୍ରଭୁ ଗଣେଶ ଉଭୟ ବିଘ୍ନହର୍ତ୍ତା ଓ ବିଦ୍ୟାତାତା । ତେଣୁ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ଲୋକେ ଘରେ ମଧ୍ୟ ଗଣପତିଙ୍କ ପୂଜାର୍ଚ୍ଚନା ପାଇଁ ଆଗ୍ରହ କରିଥା’ନ୍ତି । ଏହି କ୍ରମରେ ମାଟି ମୂର୍ତ୍ତି ଅପେକ୍ଷା ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନିର୍ମିତ ଗଣେଶ ମୂର୍ତ୍ତି ପ୍ରତି ଲୋକଙ୍କ ଆଗ୍ରହ ଥିବା ଦେଖିବାକୁ ମିଳୁଛି । ଏଥିପାଇଁ ବଜାରରୁ ଛୋଟ ଓ ଆକର୍ଷଣୀୟ ମୂର୍ତ୍ତି ସବୁ କିଣି ନେଉଛନ୍ତି । ଗଣେଶ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ । ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଏକାଧିକ ମଣ୍ଡପରେ ପୂଜା ପାଇବେ ଗଜାନନ । ଏଥିପାଇଁ ପୂଜା କମିଟି ଗୁଡ଼ିକ ମଧ୍ୟରେ ମେଢ଼ ଓ ମଣ୍ଡପକୁ ଆକର୍ଷଣୀୟ କରିବାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।