କନକ ବ୍ୟୁରୋ : ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ । ସ୍ନାନ ପୂର୍ଣ୍ଣିମାରେ ଆସନ୍ତାକାଲି ସ୍ନାନବେଦୀରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଶ୍ରୀମନ୍ଦିରରେ ଆଜି ଦଇତାପତି ସେବାୟତଙ୍କ ଦ୍ୱାରା ରତ୍ନ ସିଂହାସନ ନିକଟରେ ଚାରମାଳ ବନ୍ଧା କାର୍ଯ୍ୟ ସରିଥିବା ବେଳେ ଶ୍ରୀଜିଉଙ୍କ ଦେହରେ ସେନାପଟା ଲାଗି ହୋଇଛି । ଭୋରୁ ଭୋରୁ ଆରମ୍ଭ ହେବ ଅନ୍ୟାନ୍ୟ ପ୍ରକ୍ରିୟା । ପହଣ୍ଡିରେ ମହାପ୍ରଭୁ ସ୍ନାନବେଦୀକୁ ଯିବେ । ତା’ପରେ ବର୍ଷ ସାରା ବିମ୍ବ ସ୍ନାନ କରୁଥିବା ଶ୍ରୀଜିଉ ସୁନା କୂଅର ଜଳରେ ସ୍ନାନବେଦୀରେ ସ୍ନାନ କରିବେ । ଶ୍ରୀମନ୍ଦିରରେ ଉତ୍ତର ଦ୍ୱାର ନିକଟରେ ଥିବା ଶୀତଳା ଦେବୀଙ୍କ ସମ୍ମୁଖରେ ଥିବା ସୁନା କୂଅରୁ ଜଳ ଆସି ପ୍ରଭୂଙ୍କୁ ସ୍ନାନ କରାଯିବ । ଗରାବଡୁ ସେବକମାନେ ପିତ୍ତଳ ଗରାରେ କୂଅରୁ ଜଳ ଆଣିବେ । ଜଗନ୍ନାଥଙ୍କୁ ୩୫ ଗଡୁ, ବଳଭଦ୍ରଙ୍କୁ ୩୩ ଗଡୁ , ସୁଭଦ୍ରାଙ୍କୁ ୨୨ ଗଡୁ ଓ ସୁଦର୍ଶନଙ୍କୁ ୧୮ ଗଡୁ ଜଳ ଲାଗି କରାଯିବ । 

Advertisment
snana-yatra-1
snana-yatra-1 Photograph: (google)

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବା ସହ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ମହାପ୍ରଭୁଙ୍କ ହାତୀବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଲାଣି । କାଲି ଭୋର ୪ଟା ୩୦ରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ ହେବ । ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି । ୩ ଟା ୩୦ରେ ଛେରା ପହଁରା ଏବଂ ୪ ଟା ୩୦ରେ ହାତୀ ବେଶ ହେବ । ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଲାଣି । ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମୁଦାୟ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ, ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ , ଷ୍ଟ୍ରାଇକିଂ ଫୋର୍ସ , ବଡ଼ଦାଣ୍ଡର କୋଠା ଉପରେ ସ୍ୱତନ୍ତ୍ର ପୁଲିସ ମୁତୟନ ହୋଇଛନ୍ତି  । ରଥଯାତ୍ରା ପୂର୍ବରୁ ସ୍ନାନଯାତ୍ରା ହେଉଛି ପ୍ରାଶାସନିକ ସ୍ତରରେ ଏକ ବିଶେଷ ପ୍ରସ୍ତୁତି ପର୍ବ । ତେଣୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଫୋକସ୍ କରିଛି ପୁଲିସ ପ୍ରଶାସନ ।