କନକ ବ୍ୟୁରୋ:  ଟମାଟୋ ଚାଷ କରି ଲାଭବାନ । ଟମାଟୋ ଚାଷ କରି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ୍ ବୋଦାପୁଟ ପଞ୍ଚାୟତ ଅନ୍ତର୍ଗତ ଚିକିମା ଗାଁର ଚାଷୀମାନେ ଏବର୍ଷ ଭଲ ରୋଜଗାର କରିଛନ୍ତି । ଶୀତଋତୁରେ ସାଧାରଣତଃ ବିଭିନ୍ନ ପରିବା ଚାଷ ହୁଏ । ସେଥି ମଧ୍ୟରୁ ଟମାଟୋ ଚାଷ ଅର୍ଥକାରୀ ହୋଇଥିବାରୁ ଚାଷୀଙ୍କ ପ୍ରଥମ ପସନ୍ଦ ପାଲଟିଛି।
Advertisment
ହାଣ୍ଡିଶାଳରେ ଟମାଟୋର ଆବଶ୍ୟକତା ଦୃଷ୍ଟିରୁ ବଜାରରେ ଏହାର ଚାହିଦା ଅଧିକ ।  ସାଲାଡ୍‌ ଠାରୁ ଆରମ୍ଭ କରି ଆଚାର ପର୍ଯ୍ୟନ୍ତ ସବୁଥିରେ ଟମାଟୋ ଖୋଜା ପଡ଼ିଥାଏ। ତରକାରୀକୁ ସ୍ବାଦିଷ୍ଟ କରେ ଟମାଟୋ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଅଞ୍ଚଳରେ ଚଳିତବର୍ଷ ପ୍ରଚୁର ପରିମାଣର ଟମାଟୋ ଚାଷ ହୋଇଥିଲା । ଚାଷୀ ଭଲ ଲାଭ କରିଛନ୍ତି । ସରକାରୀ ସହଯୋଗ ମିଳିଲେ ଚାଷୀ ଏହି ଚାଷ କରି ଆହୁରି ଲାଭବାନ ହୋଇପାରିବେ । 
 
ଚାହିଦାକୁ  ଆଖି ଆଗରେ ରଖି ବୈପାରୀଗୁଡ଼ା ଚିକିମା ଗାଁର ଚାଷୀମାନେ ଟମାଟୋ ଚାଷ ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି। ଆବଶ୍ୟକତାଠାରୁ ଅଧିକ ପରିମାଣର ଟମାଟୋ ଉତ୍ପାଦନ ହେଉଛି । ବିହନ, ସାର ଓ ଖତ ବାବଦକୁ ଏକର ପିଛା ୩୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚାଷୀ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଛନ୍ତି । ଜଳସେଚନ ଓ ଶୀତଳଭଣ୍ଡାର ସୁବିଧା ହେଲେ ଚାଷୀ ଏହି ଚାଷ କରି ଆହୁରି ଲାଭବାନ ହୋଇପାରିବେ ।  ବଜାରରେ ଟମାଟୋ ଦର ଅନେକ ସମୟରେ କମ୍ ଅଧିକ ରହିଥାଏ । ଟମାଟୋ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର କରାଗଲେ ଚାଷୀ ଆହୁରି ଉପକୃତ ହୋଇପାରିବେ ।