କନକ ବ୍ୟୁରୋ : ପୁଣି ଟମାଟ ଚାଷୀ ନିରାଶ । ଟମାଟ କିଲୋ ୨ଟଙ୍କା । ପ୍ରତିବର୍ଷ ନିରାଶ ହେଉଛନ୍ତି ଟମାଟ ଚାଷୀ । ପ୍ରତିବର୍ଷ ଟମାଟ ରାସ୍ତାରେ ଫୋପଡା ହେଲା ଭଳି ସ୍ଥିତି ଉପୁଜେ । ଚଳିତ ବର୍ଷ ବି ଟମାଟର ଅଭାବୀ ବିକ୍ରି କଥା ସାମ୍ନାକୁ ଆସିଛି ।
ଢେଙ୍କାନାଳରେ ଟମାଟର ଅଭାବି ବିକ୍ରି । ଚିନ୍ତାରେ ଚାଷୀ ଓ ବ୍ୟବସାୟୀ । ଧାର କରଜ କରି ଚାଷ କରିଥିଲା ଚାଷୀ । ହେଲେ ଅମଳ ବେଳେ ଅଭାବି ବିକ୍ରି ଚାଷୀଙ୍କ ପାଇଁ କାଳ ସାଜିଛି । ଯେତିକି ଟଙ୍କା ଖର୍ଚ୍ଚ କରି ଚାଷୀ ଚାଷ କରିଥିଲେ ତାର ମୂଲ୍ୟ ମିଳୁନଥିବାରୁ ଚାଷୀଙ୍କ ସମସ୍ୟା ବଢ଼ିଯାଇଛି । ପରିସ୍ଥିତି ଏପରି ହୋଇଛି କିଲୋପିଛା ୨ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଢେଙ୍କାନାଳ ଗଂଦିଆ ବ୍ଲକର ଚାଷୀ । ବ୍ରାହ୍ମଣୀ ନଦୀ କୁଳରେ ଥିବା ହାତୀବାରି ଗାଁର ଅଧିକାଂଶ ଚାଷୀ ଟମାଟୋ ଚାଷ ଉପରେ ନିର୍ଭରଶୀଳ । ୧୦୦ ଏକରରୁ ଅଧିକ ଜମିରେ ଟମାଟୋ ଚାଷ ହୋଇଥିଲା । ଗୋଟିଏ ଗୋଟିଏ ଗଛରେ ପ୍ରାୟ ୧୦ କେଜିରୁ ଅଧିକ ଟମାଟୋ ବି ଫଳିଥିଲା । ହେଲେ ବଜାରରେ ଏବେ ଟମାଟୋ ଦର କମ ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁ ନଥିବାରୁ ଚାଷୀ ଜମିରୁ ଟମାଟୋ ତୋଳୁନାହାନ୍ତି । ଫଳରେ ଏକର ଏକର ଟମାଟୋ ଜମିରେ ପଚିଗଲାଣି ।
ପ୍ରତିବର୍ଷ ଟମାଟ ଚାଷୀ ହତାସ ହେଉଛନ୍ତି । ଏତେ ପରିଶ୍ରମ କରି ଏକର ଏକର ଟମାଟ ଚାଷ କରୁଛନ୍ତି । ତା ପରେ ବି ଅମଳ ଟମାଟକୁ ସାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ପ୍ରତିଥର ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ସରକାରଙ୍କ ପାଖରେ ଖବର ବି ପହଞ୍ଚୁଛି । କିନ୍ତୁ ସରକାର ତାଙ୍କ କୁମ୍ଭକର୍ଣ୍ଣ ନିଦରୁ ଉଠୁନାହାନ୍ତି । ରାଜ୍ୟରେ ଶିତଳ ଭଣ୍ଡାରର ଅଭାବ କାରଣରୁ ଚାଷୀ କ୍ଷତି ସହୁଛି । ଯଦି ସରକାର ରାଜ୍ୟରେ ଶିତଳ ଭଣ୍ଡାର ଖୋଲନ୍ତେ ତେବେ ଚାଷୀ ଓ ବ୍ୟବସାୟୀ ଟମାଟ ଚାଷରୁ ଭଲ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।