କନକ ବ୍ୟୁରୋ: କ୍ଷେତରେ ଶଢୁଛି କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ । ଦିନେ ଶହେ ଛୁଇଁଥିବା ଟମାଟୋ ଦର ଏବେ ଏତେ କମିଯାଇଛି ଯେ, ଖର୍ଚ୍ଚ ଉଠୁ ନଥିବାରୁ ଚାଷୀ ଅମଳ ନକରି ବିଲରେ ଛାଡ଼ି ଦେଇଛନ୍ତି । ଆଗକୁ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ମଧ୍ୟ ନାହିଁ। ଟମାଟୋ ଦର କମିଥିବା ବେଳେ ଅନ୍ୟ ପନିପରିବାକୁ ମଧ୍ୟ ଅଦିନିଆ ବର୍ଷା ଓ କୁହୁଡ଼ି କାଳ ସାଜିଛି ।
ଚଳିତବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭଲ ଟମାଟୋ ଫସଲ ହୋଇଥିଲା । କିନ୍ତୁ କିଛିଦିନ ତଳେ ଏହାର ଦର ଶହେ ଟଙ୍କା ଛୁଇଁ ଥିବା ବେଳେ ଏବେ ବହୁତ୍ କମିଯାଇଛି । କେନ୍ଦ୍ରାପଡାରେ ଅମଳ ଖର୍ଚ୍ଚ ଉଠୁ ନଥିବାରୁ ଚାଷୀ ଟମାଟୋ ତୋଳୁ ନାହାନ୍ତି କି ବିକିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଟମାଟୋ ବିଲରେ ପଡ଼ି ନଷ୍ଟ ହେଉଛି । ଶୀତଳଭଣ୍ଡାର ଅଭାବରୁ ଚାଷୀ ଟମାଟୋ ସଂରକ୍ଷଣ କରି ରଖି ପାରୁନଥିବା ବେଳେ ବେପାରୀ କିଲୋ ପିଛା ୫ରୁ ୮ ଟଙ୍କାରେ କିଣି ନେଉଛନ୍ତି ।
ଟମାଟୋରୁ ଚାଷୀ ଭଲ ପଇସା ରୋଜଗାର ପାଇଁ ଆଶା ରଖିଥବା ବେଳେ ସ୍ଥିତି ଠିକ୍ ବିପରୀତ ହୋଇଛି । ଦର ବହୁତ୍ କମିଯିବା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଟମାଟୋ ଚାଷ ପାଇଁ ଆବଶ୍ୟକ ମଞ୍ଜି, ସାର ଏବଂ ଔଷଧ ଖର୍ଚ୍ଚକୁ ମିଶାଇଲେ କିଛି ଲାଭ ମିଳୁନାହିଁ । କେବଳ ଟମାଟୋ ଚାଷରେ କ୍ଷତି ହୋଇନାହିଁ, ଅଦିନିଆ ବର୍ଷା ଓ କୁହୁଡ଼ି ଫଳରେ ରୋଗପୋକ ଲାଗି ଅନ୍ୟ ପନିପରିବା ମଧ୍ୟ ନଷ୍ଟ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତଳଭଣ୍ଡାର ଖୋଲିବା ପାଇଁ ସରକାର ଯୋଜନା କରୁଛନ୍ତି । ଏହାଶୀଘ୍ର କାର୍ୟ୍ୟକାରୀ ହେଲେ, ଚାଷୀ ଉପକୃତ ହୋଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/02/26/H0CpERd1wKewUe6lRYCV.jpg)