କନକବ୍ୟୁରୋ : ଆଜି ସୁନା ବେଶ । ରଥଉପରେ ଶ୍ରୀଜିଉ ମାନଙ୍କର ବଡତଢା଼ଉ ବେଶ ଵା ସୁନାବେଶ  ଅନୁଷ୍ଠିତ ହେବ ।  ସକାଳୁ ତିନିରଥ ଉପରେ ଦୈନଦିନ ନୀତି ପରେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହେବେ ଶ୍ରୀଜିଉ ।  ସେଥିପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଛି  ।  ରଥ ଉପରେ ଅନ୍ୟାନ୍ୟ ନୀତି ବଢି ମଧ୍ୟାହ୍ନ ଧୁପ , ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବ ।

Advertisment

ଏହାପରେ ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଠାକୁର ମାନଙ୍କୁ ସୁନାବେଶରେ ସଜ୍ଜିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।  ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ ବୋଲି ମଧ୍ୟ ପ୍ରଶାସନ ନିଷ୍ପତ୍ତି ନେଇଛି ।  ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ ହେବ ।

ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାର୍କେଟ ଛକରୁ ଵ୍ୟାରିକେଡ଼ କରାଯାଇଛି । ଶ୍ରଦ୍ଧାଳୁ ମାର୍କେଟ ଛକରୁ ଵ୍ୟାରିକେଡ୍‌ରେ ଆସି ବେଶ ଦେଖିବା ପରେ ତିନିରଥ ପଛପଟ ରାସ୍ତା ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ତା କରାଯାଇଛି । ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ଅନ୍ୟତମ  ।

ବଡ଼ଠାକୁର  ଶ୍ରୀ ବଳଭଦ୍ର ଶ୍ରୀପୟର, ଶ୍ରୀ ଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା,ଓ ଝୋବାକଣ୍ଠି,ଆଦି ପରିଧାନ କରିଥାନ୍ତି । ଦେବୀ ସୁଭଦ୍ରା କିରିଟି ,  ଓଡିଆଣି , କାନ , ଚନ୍ଦ୍ରସୂର୍ଯ୍ୟ , ଦୁଇଟି ତଗଡି,ସେବତୀ ମାଳି ,ଘାଗଡାମାଳି, କଦମ୍ବମାଳି  ଆଦି ପରିଧାନ କରିଥାନ୍ତି ।  

ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର , ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ,ଚନ୍ଦ୍ରସୂର୍ଯ୍ୟ , ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା , ସେବତୀମାଳି , ଝୋବା କଣ୍ଠି , ତାବିଜ ମାଳି  ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ  ଉପରେ ସୁନା ବେଶରେ ଦର୍ଶନ ଦେବେ । ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ ।  ଏହି ମନମୁଗ୍ଧକର ବେଶ ବର୍ଷକ ରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି  ବିଶ୍ୱାସ ରହିଛି ।