କନକ ବ୍ୟୁରୋ : ଆଜି ବସିବ ନିତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ବସିବ । ଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ରେ ବୈଠକ ବସିବ । ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଯୋଗଦେବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ବୈଠକରେ  ଯୋଗଦେବେ । 

Advertisment

ବୈଠକରେ ବିକଶିତ ଭାରତ-୨୦୪୭ର ରୂପରେଖ ସମ୍ପର୍କରେ ଆଲୋଚନା ହୋଇପାରେ । ଗତ ବର୍ଷ ଜୁଲାଇ ୨୭‌ର ନିତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ବସିଥିଲା । ଏଥିରେ ଆଲୋଚନା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ । ଏଥି ସହିତ ବୈଠକରେ ଜାତୀୟ ବିକାଶ ରଣନୀତି ତଥା ରାଜ୍ୟର ପ୍ରଗତି ଉପରେ ମଧ୍ୟ ଆଲୋଚନା ହେବ । ସେହିପରି ଏହି ଗସ୍ତ ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ‌ଦେବା ସମ୍ଭାବନା ରହିଛି । ଅନ୍ୟପକ୍ଷେ ଆସନ୍ତାମାସ ଓଡ଼ିଶାରେ ନୂଆ ସରକାରର ବ‌ର୍ଷ ପୂର୍ତ୍ତି ହେବାକୁ ଯାଉଥିବାରୁ ମେ' ୨୬ରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କ ଉପଲବ୍ଧି ଓ ଭବିଷ୍ୟତ ଯୋଜନା ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେବେ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।