କନକ ବ୍ୟୁରୋ: ପିସିସି ସଭାପତି ପାଇଁ ଏବେ ପ୍ରକ୍ରିୟା ଜୋରଦାର ହୋଇଛି । କିଏ ହେବ ସଭାପତି ସେ ନେଇ ଚର୍ଚ୍ଚା ଚାଲିଥିବାବେଳେ ଆଜି ଆସୁଛନ୍ତି ଏଆଇସିସି ନେତା ଚରଣଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ । ଛତିଶଗଡ ବିରୋଧୀ ଦଳ ନେତା ହେଉଛନ୍ତି ଚରଣଦାସ ମହନ୍ତ ଓ ବରିଷ୍ଠ ନେତ୍ରୀ ହେଉଛନ୍ତି ମୀନାକ୍ଷୀ ନଟରାଜନ । ଏମାନେ ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ । ସକାଳୁ ରାତି ଯାଏଁ ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ । ପ୍ରଥମେ ଷ୍ଟିଅରିଂ କମିଟି ସହ ଆଲୋଚନା କରିବେ। ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବି ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା ବି କରିବେ ଦୁଇ ନେତା।
କଂଗ୍ରେସ ଶିବିରରେ ଆଲୋଚନା ହେଉଛି, ପିସିସି ସଭାପତି ଦୌଡରେ ଏବେ ଭକ୍ତ ଦାସ ଓ ମହମ୍ମଦ ମୋକିମଙ୍କ ନାଁ ଆଗରେ ରହିଛି । ସେପଟେ ଭକ୍ତ ଦାସ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଏକ ତାରକା ହୋଟେଲରେ ବୈଠକ କରିଛନ୍ତି । ସେହିଭଳି ଦୁଇଦିନ ହେଲା ମହମ୍ମଦ ମୋକିମଙ୍କ ଅନେକ ସମର୍ଥକ ବନ୍ଧୁମିଳନ ନାଁରେ ଏକାଠି ହୋଇଛନ୍ତି । ଚର୍ଚ୍ଚା ହେଉଛି, ଏଆଇସିସି ନେତାଙ୍କ ଆଗରେ ଏହି ସମର୍ଥକମାନେ ପିସିସି ସଭାପତି ପାଇଁ ମୋକିମ ଯୋଗ୍ୟ ବୋଲି ଯୁକ୍ତି ବାଢିବେ । ଏହାରି ଭିତରେ ୪୦ରୁ ଅଧିକ ନେତା ଛତିଶଗଡ ଯାଇ ଚରଣଦାସ ମହନ୍ତଙ୍କୁ ଭେଟି ସଭାପତି ପାଇଁ ଲବି କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଏଭଳି ମେଳିକୁ ନାପସନ୍ଦ କରିଛନ୍ତି ତାରାବାହିନୀପତି । ସେପଟେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ବି ପିସିସି ସଭାପତି ପାଇଁ ଆଶାବାଦୀ ଅଛନ୍ତି । ସଭାପତି ପାଇଁ ସେ ମନାକରିନାହାନ୍ତି କି ପଦ ଯାଚିଲେ ଗ୍ରହଣ କରିବେ ବୋଲି ଏକ ସନ୍ଦେଶ ସେ ରାଜ୍ୟ କଂଗ୍ରେସ ନେତାଙ୍କୁ ଦେଇଛନ୍ତି । ଏବେ କିଏ ପିସିସି ସଭାପତି ହେବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି।