କନକ ବ୍ୟୁରୋ : ବିଗତ ଗୋଟିଏ ଦଶନ୍ଧି ହେଲା କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି । ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାର ସଫଳ ଆୟୋଜନ କରି ସାରା ବିଶ୍ୱରେ ନିଜର ଦକ୍ଷତା ଦେଖାଇଛି ଓଡ଼ିଶା। ତାସହ ଅନ୍ତର୍ଜାତୀୟ ପଦକ ବିଜେତାଙ୍କ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ ଧାରାରେ ମଧ୍ୟ ଆଗରେ ରହିଛି ଆମ ରାଜ୍ୟ। କିନ୍ତୁ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ବାହାର କରିବାରେ ପଡିଯାଇଛି ପଛରେ । ଗୋଟିଏ ସମୟରେ ହକିରେ ଜାତୀୟସ୍ତରରେ ଓଡ଼ିଆ ଖେଳାଳିଙ୍କ ପ୍ରଭାବ ଜାରି ରହିଥିଲା। କିନ୍ତୁ କ୍ରମଶଃ ତାହା ଏବେ ହ୍ରାସ ପାଇଛି ।
ହକିରେ ଓଡ଼ିଶାକୁ ମିଳିଛି ସବୁଠୁ ଅଧିକ ସଫଳତା। ହକିର ଗଡ଼ ସୁନ୍ଦରଗଡ଼ରୁ ବାହାରିଛନ୍ତି ଅନେକ ପ୍ରତିଭା। ଯେଉଁମାନେ ଅନ୍ତର୍ଜାତୀୟସ୍ତରରେ ଆମ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ପ୍ରଥମ ଥର ପାଇଁ ୧୯୯୬ ଅଲିମ୍ପିକ୍ସରେ ପଦାର୍ପଣ କରିଥିଲେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ। ଲଗାତର ଭାବେ ୧୯୯୬, ୨୦୦୦, ୨୦୦୪ ଅଲିମ୍ପିକ୍ସରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଛନ୍ତି ଦିଲ୍ଲୀପ ତିର୍କୀ। ତାଙ୍କ ପରେ ଲାଜରୁସ ବାର୍ଲା, ୱିଲିୟମ ଖାଲକୋ, ପଦ୍ମଶ୍ରୀ ଇଗ୍ନେସ ତିର୍କୀ, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ। ସେହିଭଳି ମହିଳା ଦଳରେ ମଧ୍ୟ ଏକାଧିକ ଅନ୍ତର୍ଜାତୀୟ ପ୍ରତିଭା ରହିଥିଲେ। ସୁଭଦ୍ରା ପ୍ରଧାନ, ଜ୍ୟୋତି ସୁନୀତା କୁଲ୍ଲୁ, ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଥିଲା। ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ୪ ଓଡ଼ିଆ ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜ। ସେହିଭଳି ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ଉପସଭାପତି ଦାୟିତ୍ୱ ତୁଲାଇଥିଲେ ଦୀପଗ୍ରେସ ଏକ୍କା। ଗୋଟିଏ ସମୟରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ୩ ରୁ ୪ ଓଡ଼ିଆ ଖେଳାଳି ସ୍ଥାନ ପାଉଥିଲେ। ସେହିପରି ହକି ଭିତ୍ତିଭୂମି ବିକାଶରେ ମଧ୍ୟ ଆମ ରାଜ୍ୟ ଏକ ନମ୍ୱରରେ ରହିଛି। କଳିଙ୍ଗ ଷ୍ଟାଡିୟମର ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ। ତାସହ ମାଳ ମାଳ ବିଦେଶୀ ପ୍ରଶିକ୍ଷକ ଦେଉଛନ୍ତି ଟ୍ରେନିଂ। ହେଲେ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ଖେଳାଳିଙ୍କ ସଂଖ୍ୟା ଏବେ କମିବାରେ ଲାଗିଛି ।
ସାଧାରଣତଃ ଓଡ଼ିଶା ହକିରେ ଅଧିକ ଡିଫେଣ୍ଡର ବାହାରିଥାନ୍ତି। ଅନ୍ୟ ପୋଜିସନ ଯେମିତିକି ମିଡ ଫିଲ୍ଡ, ଫରୱାର୍ଡ, ଗୋଲକିପର ପାଇଁ ଖେଳାଳି ବାହାରି ପାରୁନାହାନ୍ତି। ତାସହ କୋଚିଂ ବ୍ୟବସ୍ଥା ଉପରେ ମଧ୍ୟ ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଦିନେ ପାନପୋସ କ୍ରୀଡ଼ା ଛାତ୍ରାବାସର ଗୋଟିଏ ଆଷ୍ଟ୍ରୋ ଟର୍ଫରୁ ଅନେକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ବାହାର କରିଥିଲେ ଓଡ଼ିଶାର କୋଚ । ହେଲେ ଏବେ ଅଧିକାଂଶ ସ୍ଥାନରେ ଖେଳାଳିଙ୍କୁ ଆଷ୍ଟ୍ରୋ ଟର୍ଫରେ ଖେଳିବାର ସୁଯୋଗ ମିଳିଛି। ତାସହ ବିଦେଶୀ ପ୍ରଶିକ୍ଷକଙ୍କୁ ଆଣି ପ୍ରଶିକ୍ଷଣ ବି ଦିଆଯାଉଛି। ହେଲେ ଏବେ ସବୁ ବ୍ୟବସ୍ଥା ଭିତରେ ବି ବାହାରି ପାରୁନାହାନ୍ତି ଖେଳାଳି। ନିହାତି କେଉଁଠି ତୃଟି ରହୁଛି। ସେ ବାବଦରେ ବିଚାର କରିବା କଥା। ନହେଲେ ଓଡ଼ିଶା କେବଳ ହକିର ପ୍ରାୟୋଜକ ଭାବେ ରହିଯିବ। ଭାରତୀୟ ଜର୍ସୀରେ ଓଡ଼ିଆ ଖେଳାଳିଙ୍କୁ ଆଉ ଦେଖିବାକୁ ମିଳିବେନି।