କନକ ବ୍ୟୁରୋ : ବିଜେପି ସରକାରର ବର୍ଷ ପୂରାଣି ପୂର୍ବରୁ ଆଜି ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ କରି ଭାବବିହ୍ବଳ ହୋଇଥିଲେ ମୋହନ । ହାତ ଟେକି ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇ, ରାଜ୍ୟ ତଥା ରାଜ୍ୟବାସୀଙ୍କ ମଂଗଳ କାମନା କରିଛନ୍ତି । ବିକଶିତ ଓଡ଼ିଶା ନିର୍ମାଣ ପାଇଁ ଆଶୀର୍ବାଦ ନେଇଛନ୍ତି । 

Advertisment

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ପହଣ୍ଡି ଦେଖିବା ସହ ମଙ୍ଗଳ ଆଳତି ଦର୍ଶନ କରିଥିଲେ । ସେବକଙ୍କ ସହ ନୀତିକାନ୍ତି ସମୟରେ ଉପସ୍ଥିତ ରହି ସମନ୍ବୟ ଓ ନୀତି ତ୍ବରାନ୍ବିତ କରିବାକୁ କହିଥିଲେ। ଏଥିସହ ଖୁବଶୀଘ୍ର ଛତିଶା ନିଯୋଗକୁ ନେଇ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ଏକ ବୈଠକ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରଥ ଖଳା ଯାଇ ରଥ ନିର୍ମାଣର ସମୀକ୍ଷା କରିବା ସହ ମହାରଣା ସେବକଙ୍କ ପାଉଣା ବୃଦ୍ଧି ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ସ୍ନାନଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଏକ୍ସରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କରୁଛି ବୋଲି ଲେଖିଥିଲେ ।