କନକ ବ୍ୟୁରୋ: ସବୁଠୁ ବଡ଼ ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ । ୮ ଦିନରେ ୫ ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ , ଯାହା ତାଙ୍କର ଗତ ୧୦ ବର୍ଷର ସବୁଠାରୁ ଦୀର୍ଘ ବିଦେଶ ଯାତ୍ରା ହେବ  । ଏହି ଗସ୍ତରେ ମୋଦୀ ଘାନା, ତ୍ରିନିଦାଦ ଓ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆକୁ ଯିବେ । ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦାନ କରିବା ଏବଂ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଦେଶମାନଙ୍କ ସହ ଭାରତର ସମ୍ପର୍କକୁ ଆହୁରି ଦୃଢ଼ କରିବା । 

Advertisment

ଆଜି ଓ ଆସନ୍ତାକାଲି ମୋଦୀ ଘାନା ଗସ୍ତ କରିବେ । ଯେଉଁଠାରେ ଘାନା ସଂସଦରେ ଭାଷଣ ଦେବେ ପ୍ରଧାନମନ୍ତ୍ରୀ ଏବଂ ପ୍ରାୟ ୧୫ ହଜାର ପ୍ରବାସୀ ଭାରତୀୟ ମୋଦୀଙ୍କୁ ଅଭିନନ୍ଦନ ଜଣାଇବେ । ଜୁଲାଇ ୩ରୁ ୪ରେ ତ୍ରିନିଦାଦ ଓ ଟୋବାଗୋ  ଗସ୍ତରେ ଯିବେ ମୋଦୀ । ଜୁଲାଇ ୪ ଓ ୫ ମୋଦୀ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର ମିଲେଇଙ୍କ ସହ ବୈଠକ କରିବେ । ଏହି ଗସ୍ତରେ ବାଣିଜ୍ୟ, ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହେବ। ପରେ ଜୁଲାଇ ୫ ଓ ୮ରେ ମୋଦୀ ବ୍ରାଜିଲ ରିଓ ଡି ଜାନେଇରୋରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ । ଜୁଲାଇ ୬ ଓ ୭ ମଧ୍ୟରେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଜୁଲାଇ ୮ ଓ ୯ ମୋଦୀଙ୍କର ପ୍ରଥମ ନାମିବିଆ ଗସ୍ତ, ଯେଉଁଠାରେ ମୋଦୀ ସଂସଦରେ ଭାଷଣ ଦେବେ । ମୋଦୀଙ୍କ ଦ୍ୱିତୀୟ ପଞ୍ଚ ରାଷ୍ଟ୍ରୀୟ ଗସ୍ତ, ପୂର୍ବରୁ ୨୦୧୬ରେ ପ୍ରଧାନମନ୍ତ୍ରୀ ଆମେରିକା, ମେକ୍ସିକୋ, ସ୍ୱିଜରଲ୍ୟାଣ୍ଡ, ଆଫଗାନିସ୍ତାନ ଓ କତାର ଗସ୍ତ କରିଥିଲେ ।