କନକ ବ୍ୟୁରୋ: କୁହନ୍ତି ଦିନ ଯାଏ ଚିହ୍ନ ରହିଯାଏ । ଏ ତ ଖାଲି ଚିହ୍ନ ନୁହେଁ ବରଂ କ୍ଷତ ଚିହ୍ନ । ହଁ ଏ ଏମିତି ଏକ କ୍ଷତ ଚିହ୍ନ ଯିଏ ରକ୍ତର କାହାଣୀ ଲେଖିଲା । ଜୀବନ ନେଲା ଜାବନରେ ଯନ୍ତ୍ରଣା ଭରିଦେଇ ଦାଗ ଦେଇ ଚାଲିଗଲା । ସେଦିନର ଅଶୁଭ ଶୁକ୍ରବାର ଆଉ ଆଜି ଭିତରେ ବହୁତ କିଛି ବଦଳି ଯାଇଛି । ଅସଜଡ଼ା ଟ୍ରାକ ସଜାଡ଼ି ହୋଇଛି । ଧାରଣା ଉପରେ କରମଣ୍ଡଳ ପୁଣି ଗଡୁଛି । ହେଲେ ସେଦିନ ଅନେକ ସ୍ୱପ୍ନ ଆଉ ସମ୍ଭାବନା ନେଇ ଘରୁ ବାହାରି ଆସିଥିବା ପାଦ ଗୁଡ଼ିକ ଆଉ ଘରକୁ ଫେରିନାହାନ୍ତି ।
ଜୁନ୍ ୨ ଶୁକ୍ରବାର, ସମୟ ପାଖାପାଖି ୭ଟା । ଖବର ଆସିଲା କରମଣ୍ଡଳ ଏକ୍ସପ୍ରେସ୍ ଧକ୍କା ହୋଇଯାଇଛି, ବାହାନଗାରେ ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ଆଉ ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଏହି ଭୟଙ୍କର ଦୁର୍ଘଟଣାରେ ଆହତ ହୋଇଥିଲେ । ଶତାବ୍ଦୀର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ଭାବେ ଦେଶକୁ ଦୋହଲାଇ ଦେଇଥିଲା ବାହାନଗା ଠାରେ ହୋଇଥିବା କରମଣ୍ଡଳର କରୁଣ ଦୁର୍ଘଟଣା । କରମଣ୍ଡଳର ସେ କରୁଣ କାହାଣୀକୁ ଆଜିକୁ ଠିକ୍ ଦୁଇ ବର୍ଷ ପୂରିଛି । ହେଲେ ସେ ଭୟଙ୍କର ଦୁର୍ଘଟଣା ମନେପଡ଼ିଗଲେ ଛାତି ଥରି ଉଠୁଛି, ହାତଗୋଡ଼ ନିସ୍ତେଜ ହୋଇପଡୁଛି ।
କିଏ ଜାଣିଥିଲା ସେଦିନର ସେ ଶୁକ୍ରବାର ଅନେକଙ୍କ ପାଇଁ ଶେଷ ଶୁକ୍ରବାର ପାଲଟିଯିବ! ବାଲେଶ୍ୱରର ବାହାନଗାଠାରେ ଘଟିଲା ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍ ଟ୍ରାଜେଡି । କିଏ ଟ୍ରେନ୍ ଚକ ତଳେ ରହିଗଲା, କିଏ ବଗିରେ ଚାପି ହୋଇଯାଇଥିଲା ତ ଆଉ କିଏ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବଗି ଭିତରେ ହିଁ ଶବ ପାଲଟିଗଲା । ବାହାନଗାରେ ମୁହାଁମୁହିଁ ଧକ୍କା ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ ସହ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ । ଦେଖୁ ଦେଖୁ ବଢ଼ି ଚାଲିଲା ମୃତକଙ୍କ ସଂଖ୍ୟା, ଅନ୍ଧକାର ଭିତରେ ବଡ଼ ରେସ୍କ୍ୟୁ ଅପରେସନ୍ ପାଇଁ ସମୟ ଗଡ଼ି ଚାଲିଲା, କିଏ ଜୀବନ ପାଇଁ ବିକଳ ହୋଇଯାଉଥାଏ ତ କିଏ ପରିବାର ପାଇଁ ନେହୁରା ହେଉଥିଲା ।
ଦୁର୍ଘଟଣା ଖବର ଖେଳିଯିବା ପରେ ଏକାଠି ଆଗେଇ ଆସିଥିଲେ ସ୍ଥାନୀୟ ଲୋକେ । ମାନବିକତା ଦେଖାଇ ବାହାନଗାବାସୀ ଆହତଙ୍କୁ ଉଦ୍ଧାର କରିଥିଲେ ଏବଂ ଯିଏ ଯେଉଁଥିରେ ପାରିଲା ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସହାୟତାର ହାତ ବଢ଼ାଇଥିଲେ । ଏପରିକି ରାତିସାରା ହସ୍ପିଟାଲ ବାହାରେ ଲୋକମାନେ ଆହତଙ୍କୁ ରକ୍ତଦାନ କରିବାକୁ ଲମ୍ବା ଲାଇନ୍ ମଧ୍ୟ ଲଗାଇଥିବା ଦେଖିବାକୁ ମିଳିଥିଲା । ଦୁର୍ଘଟଣା ସମୟରେ ପର, ଆପଣା ଜାତି ଧର୍ମକୁ ଭୁଲି ଜଣେ ମଣିଷର କର୍ତ୍ତବ୍ୟ କରିଥିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢୁଥିବା ଦେଖି ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟକୁ ଅଧିକ ଜୋରଦାର କରିଥିଲେ । ଯେଉଁଥିପାଇଁ ୩ଟି ଏନଡିଆରଏଫ୍ ଟିମ୍, ୪ଟି ଓଡ୍ରାଫ୍, ୧୫ରୁ ଅଧିକ ଅଗ୍ନିଶମବାହିନୀ. ୧୦୦ ଡାକ୍ତରୀ ଦଳ, ୨୦୦ ଆମ୍ବୁଲାନ୍ସ ଏବଂ ୨୦୦ ଜଣ ପୁଲିସ କର୍ମଚାରୀ ଏହି ବିଶାଳ ଉଦ୍ଧାର ଅପରେସନରେ ନିୟୋଜିତ ଥିଲେ ।
କୁଢ଼ କୁଢ଼ ଶବ ଭିତରେ କିଏ ପୁଅକୁ ଖୋଜୁଥିଲା ତ କିଏ ସ୍ୱାମୀକୁ ଆଉ କିଏ ବାପାଙ୍କୁ । ଆଉ ହୃଦୟ ଥରାଇଦେଇଥିଲା ଯେତେବେଳେ ଜଣେ ବାପା ଶବ ପାହାଡ଼ ଭିତରେ ନିଜ ପୁଅର ଶବକୁ ବିକଳ ହୋଇ ଖୋଜୁଥିଲେ । ଖଣ୍ଡ ବିଖଣ୍ଡିତ ଶବକୁ ଦେଖି ଅନେକ ପରିଜନ ଚେତାଶୂନ୍ୟ ହୋଇଯାଉଥିଲେ । ଶବର ଶେଷ ଠିକଣା ହସ୍ପିଟାଲ ହୋଇଥିଲେ ବି ଏ ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଶବକୁ ଚିହ୍ନି ପାରୁନଥିଲେ ପ୍ରିୟ ପରିଜନ ।