କନକ ବ୍ୟୁରୋ : ଆଜି ପବିତ୍ର ଗୁରୁ ଦିବସ ।  ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ମନେ ପକାଉଛି ସାରା ଦେଶ । ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଶେଷ ଆୟୋଜନ କରାଯାଉଛି । ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ। ୧୮୮୮ ମସିହା ସେପ୍‌ଟେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ର ମାନ୍ୟତା ମିଳିଛି। ଜଣେ ମହାନ୍ ପଣ୍ଡିତ, ଦାର୍ଶନିକ ଓ ଭାରତରତ୍ନ ପ୍ରାପ୍ତ ରାଧାକୃଷ୍ଣନ୍ ତୁଳନାତ୍ମକ ଧର୍ମ ଓ ଦର୍ଶନ କ୍ଷେତ୍ରରେ ବିଂଶ ଶତାବ୍ଦୀର ବିଶିଷ୍ଟ ଭାରତୀୟ ବିଦ୍ବାନମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସେ ଚେନ୍ନାଇର ପ୍ରେସିଡେନ୍‌ସି କଲେଜ ଓ କଲିକତା ବିଶ୍ବବିଦ୍ୟାଳୟ ସମେତ ଦେଶର ଓ ଆନ୍ତର୍ଜାତିକସ୍ତରୀୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରିଥିଲେ। ଆଜି ଗୁରୁ ଦିବସ ଅବସରରେ ଶୁଭେଚ୍ଛାର ସୁଅ ଛୁଟୁଛି ।