କନକବ୍ୟୁରୋ : ବୁଧବାର ଦିବ୍ୟାଙ୍ଗମାନଙ୍କ ପାଇଁ ଦିନଟିଏ । ଏହି ଦିନ ସାରା ବିଶ୍ବରେ ପାଳନ ହେବାକୁ ଯାଉଛି ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ । ସେମାନଙ୍କୁ ସମାଜର ମୁଖ୍ୟସୋତ୍ରରେ ସାମିଲ କରିବାକୁ ସଭାସମିତିରେ ପ୍ରତିବର୍ଷ ହୋଇଥାଏ ନାନା ଆଲୋଚନା ଓ ପର୍ଯ୍ୟାଲୋଚନା । ମନ୍ତ୍ରୀଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଦିବ୍ୟାଙ୍ଗଙ୍କ ସମ୍ପର୍କରେ ଅନେକ କିଛି କଥା କହିଥାନ୍ତି । ପରବର୍ତ୍ତୀ ସମୟରେ କିନ୍ତୁ ସେମାନଙ୍କ ସମସ୍ୟାକୁ ପାସୋରି ଯାଇଥାନ୍ତି । ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ସୁନ୍ଦରଗଡ଼ ଦିବ୍ୟାଙ୍ଗ ଯୋଜନା ବାଟବଣା ହୋଇଛି । ସରକାରଙ୍କ ପ୍ରସ୍ତାବ ନ ଦେବା ଓ ସଠିକ୍ ଭେଣ୍ଡର ମିଳୁ ନଥିବାରୁ ଜିଲ୍ଳାର ଅଧିକାଂଶ ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରଙ୍କ ସହାୟକ ଉପକରଣ ଦିବା ସ୍ବପ୍ନ ହୋଇଛି ।
ଅଧିକ ପଢନ୍ତୁ ,..... ଜୁଆ ଖେଳିଲେ ଜେଲ୍ ନାହିଁ, କେବଳ ଜରିମାନା
ସହରର ଦିବ୍ୟାଙ୍ଗ ରାଜେଶ ଲାଲ ଶର୍ମା । ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ସହାୟକ ଉପକରଣ ପାଇବାକୁ ବିଭାଗୀୟ କାର୍ଯ୍ୟାଳୟକୁ ଦୌଡୁଛନ୍ତି । ଜଗଦାର ଶିିବାନୀ ଏକ୍କା, ବିଶ୍ରାର ଦୀପିକା ମହାନ୍ତଙ୍କର ମଧ୍ୟ ସେହି ସମାନ ଅବସ୍ଥା । ଏମିତି ଶତାଧିକ ଦିବ୍ୟାଙ୍ଗ ଆବେଦନ କରିଥିଲେ ହେଁ ସହାୟକ ଉପକରଣ ମିଳୁନି । ସୁନ୍ଦରଗଡ଼ର ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର, ଅନ୍ଧ, ମୁକ ଓ ବଧିର, ଏମିତି ବିିଭିନ୍ନ ବର୍ଗରେ ୬୦ ହଜାରରୁ ଅଧିକ ଦିବ୍ୟାଙ୍ଗ ଅଛନ୍ତି । ସରକାରୀ ନିୟମ ଅନୁଯାୟୀ ପ୍ରତି ବ୍ଳକ ଓ ସହରାଞ୍ଚଳରେ ବର୍ଷକୁ ଭିନ୍ନକ୍ଷମ ସାମର୍ଥ ଶିବିର କରିବାର ନିୟମ ରହିଛି। ଜିଲ୍ଲାରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି ।
୨୦୨୪ରେ ଶିବିର ଅନୁଷ୍ଠିତ ହୋଇନି
ଗତ ୨୦୨୪ରେ ଥରେ ମଧ୍ୟ ସାମର୍ଥ ଶିବିର ଅନୁଷ୍ଠିତ ହୋଇନି। ସାମର୍ଥ ଶିବିରରେ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରାଯିବା ସହ ସହାୟକ ଉପକରଣ ଦିଆଯାଇଥାଏ। ୨୦୨୨ ଓ ୨୦୨୩ରେ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଛି। ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି କେବଳ ପ୍ରମାଣପତ୍ର ଧରାଇ କାମ ସାରି ଦିଆଯାଇଛି। ଉପକରଣ ଯେମିତି ହୁଇଲ୍ ଚେୟାର, ଟ୍ରାଇ ସାଇକଲ, କ୍ରୁତିମ ଅଙ୍ଗ, ଆଶାବାଡ଼ି, ଶ୍ରବଣଯନ୍ତ୍ର, ଶିକ୍ଷାଉପକରଣ, ଦୃଷ୍ଟହୀନ ବାଡ଼ି, ସ୍ମାର୍ଟଫୋନ୍ ମିଳୁନି । ଭୀମଭୋଇ ସାମର୍ଥ ଅଭିଯାନରେ ସରକାର ପ୍ରତିବର୍ଷ ଜିଲ୍ଲାକୁ ସର୍ବନିମ୍ନ ୧ କୋଟିର ସହାୟତା ଉପକରଣ ଦେବାକୁ ଅର୍ଥ ମଞ୍ଜୁରି କରିଥାନ୍ତି । ବଡ଼ ଜିଲ୍ଲାକୁ ୨ରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦେଇଥାନ୍ତି। ଏଥିପାଇଁ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥାଏ ।
ତା’ ହେଉ ନଥିବାରୁ ଜିଲ୍ଲାରେ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ମିଳୁପାରୁନି । ତିନି କୋଟି ତ ଦୂରର କଥା, ୩ ଲକ୍ଷର ମଧ୍ୟ ସହାୟକ ଉପକରଣ ମିଳିପାରୁନି । ସରକାର ବଦଳିବା ପରେ ଦିବ୍ୟାଙ୍ଗମାନଙ୍କ ସମସ୍ୟାର କିଛିଟା ପରିବର୍ତ୍ତନ ଆସିବ ବୋଲି ଯେଉଁ ଆଶା କରାଯାଉଥିଲା, ତା’ ହୋଇପାରୁନି ।
ଅନ୍ୟପଟେ ରାଉରକେଲାରେ ୩ଟି, ଲାଠିକଟା ଓ ରାଜଗାଙ୍ଗପୁର ଗୋଟିଏ ଲେଖାଏଁ ଓ ସୁନ୍ଦରଗଡ଼ରେ ଦୁଇଟି ଦିବ୍ୟାଙ୍ଗ ଅନୁଷ୍ଠାନ ରହିଛି । ୭ଟି ଦିବ୍ୟାଙ୍ଗ ଅନୁଷ୍ଠାନରେ ପାଖାପାଖି ୪୦୦ରୁ ଅଧିକ ଦିବ୍ୟାଙ୍ଗଙ୍କୁ ପାଠପଢ଼ା ସହ ଭୋକେସନାଲ୍ ଟ୍ରେନିଂ ଦିଆଯାଉଛି । ବିଭିନ୍ନ ସାମାଜିକ ଅନୁଷ୍ଠାନ ଜରିଆରେ ଦିବ୍ୟାଙ୍ଗମାନେ ସହାୟକ ଉପକରଣ ପାଉଛନ୍ତି। କେବଳ ଭିନ୍ନକ୍ଷମ ଆନ୍ତର୍ଜାତିକ ଦିବସ ପାଳନ କରି କାମ ସାରିଦେଲେ ହେବ, ସେମାନଙ୍କୁ ସମାଜରେ ମୁଖ୍ୟସୋତ୍ରରେ ସାମିଲ କରିବାକୁ ସରକାର ଓ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେବା ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/03/disablity-day-2025-12-03-10-48-39.jpg)