କନକ ବ୍ୟୁରୋ : ଆଜି ପବିତ୍ର ରାଖୀ ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ । ଭାଇ ହାତରେ ରାଖୀ ବାନ୍ଧି ଶୁଭ ମନାସିବ ଭଉଣୀ । ସବୁ ଦିନ ପାଇଁ ଭାଇ ପାଖରୁ ସୁରକ୍ଷା ଲୋଡ଼ିବ । ଧାର୍ମିକ ପରମ୍ପରା ଓ ରୀତିନୀତିରେ ଏହି ରକ୍ଷା ବନ୍ଧନ ସାରା ଦେଶରେ ଧୁମଧାମରେ ପାଳିତ ହେଉଛି । ଯଦିଓ ରାଖୀବନ୍ଧା ସଂସ୍କୃତି ଓଡ଼ିଆଙ୍କର ମୌଳିକ ପରମ୍ପରା ନୁହେଁ କିନ୍ତୁ ସମୟକ୍ରମେ ଉତ୍ତର ଭାରତରୁ ଆସିଥିବା ଏହି ପର୍ବକୁ ଆମେ ସାଦରେ ଆପଣାଇ ନେଇଛେ । ଆଉ ରାଖୀ ପୂର୍ଣ୍ଣିମାରେ ଭଉଣୀମାନେ ସବୁଠାରୁ ସୁନ୍ଦର, ରୁଚିପୂର୍ଣ୍ଣ ଓ ଆକର୍ଷଣୀୟ ରାଖୀଟିଏ ନିଜ ଭାଇ ହାତରେ ବାନ୍ଧି ଦେବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ରକ୍ଷାବନ୍ଧନ ଓ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ପାଳିତ ହେବ । ସକାଳୁ ପ୍ରଭୁଙ୍କର ଦ୍ବାରଫିଟା, ମଙ୍ଗଳ ଆଳତି, ଅବକାଶ ନୀତି, ଭୋଗମଣ୍ଡପ, ସର୍ବାଙ୍ଗ ନୀତି ପରେ ରାଖୀ ଲାଗି ହେବ । ସେହିପରି ସନ୍ଧ୍ୟାଧୁପ ପରେ ବଳଭଦ୍ର ଜନ୍ମ ନୀତି ଅନୁଷ୍ଠିତ ହେବ ।