କନକ ବ୍ୟୁରୋ: ଆଜି ହେଉଛି ଆତ୍ମହତ୍ୟା ନିରୋଧୀ ଦିବସ। ସମାଜରେ ଦିନକୁ ଦିନ ବଢୁଥିବା ଆତ୍ମହତ୍ୟା ଭଳି ଘଟଣାକୁ ରୋକିବା ପାଇଁ ଆଜି ଦିନକୁ ଆତ୍ମହତ୍ୟା ନିରୋଧୀ ଦିବସ ଭାବେ ପାଳନ କରାଯାଉଛି। ପାରିବାରିକ କଳହ ସହ ମାନସିକ ଆଘାତ ଓ ଅବସାଦ ଯୋଗୁଁ ଆତ୍ମହତ୍ୟା ଘଟଣା ଘଟୁଛି। ଆଉ ବିଡ଼ମ୍ବନାର କଥା ହେଉଛି ଆତ୍ମହତ୍ୟାରେ ଜାତୀୟ ହାରଠୁ ଆଗରେ ରହିଛି ଓଡିଶା।

  • ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା
  • ଜାତୀୟ ହାର ତୁଳନାରେ ଆଗରେ ଓଡ଼ିଶା

ଆତ୍ମହତ୍ୟା ଏଭଳି ଏକ ଶବ୍ଦ। ଯାହା ପ୍ରତିଦିନ ଆପଣ କେଉଁଠି ନା କେଉଁଠି ଶୁଣିବାକୁ ପାଉଥିବେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆତ୍ମହତ୍ୟା ମାମଲାରେ ଜାତୀୟ ହାର ତୁଳନାରେ ଓଡ଼ିଶା ଆଗରେ। ୨୦୨୨ ଏନସିଆରବି ରିପୋର୍ଟ ଅନୁସାରେ...

  • ଦେଶରେ ମୋଟ ଆତ୍ମହତ୍ୟା ମଧ୍ୟରୁ ୩.୬% ଓଡିଶାରେ ଘଟୁଛି
  • ୨୦୨୨ ମସିହାରେ ଓଡିଶାରେ ୬୧୪୦ ଜଣ ଆତ୍ମହତ୍ୟା କରିଛନ୍ତି
  • ସେଥିମଧ୍ୟରୁ ୩୯୯୦ ଜଣ ମହିଳା ଓ ୨୧୫୦ ଜଣ ପୁରୁଷ
  • ରାଜ୍ୟରେ ପ୍ରତି ଲକ୍ଷେରେ ୧୩.୩% ଜଣ ଆତ୍ମହତ୍ୟା କରୁଛନ୍ତି, ଯାହା ଜାତୀୟ ହାର ତୁଳନାରେ ୧୨.୪% ଅଧିକ
  • ୨୦୨୨ରେ ଓଡିଶାରେ ଆତ୍ମହତ୍ୟା ସଂଖ୍ୟା ୮.୭% ବୃଦ୍ଧି ପାଇଛି

ମାନସିକ ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆତ୍ମହତ୍ୟା ଏକ ମାନସିକ ରୋଗ। ବିଶେଷକରି ମାନସିକ ଆଘାତ ଏବଂ ଅବସାଦ ଯୋଗୁଁ ଏହା ହଠାତ୍ ମନକୁ ଆସେ। କିନ୍ତୁ ଯଦି ସେହି ସମୟ ଚାଲିଯିବ, ତାହେଲେ ଆତ୍ମହତ୍ୟାକୁ ଏଡାଇ ଦେଇହେବ। ସେପଟେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାରୁ ଦୂରେଇ ରହିବା ପାଇଁ ସତେଚନତା ବାର୍ତ୍ତା ଦେଇଛନ୍ତି କଟକର ଆଲୋକ ବେହେରା। ଦିନେ ଆଲୋକ ମଧ୍ୟ ଏମିତି କିଛି ଭୁଲ ନିଷ୍ପତ୍ତି ନେବାକୁ ଚିନ୍ତା କରିଥିଲେ। କିନ୍ତୁ ଠିକଣା ସମୟରେ ସେ ଏହାକୁ ଏଡ଼ାଇବାରେ ସଫଳ ହୋଇଥିଲେ।

ବଢୁଥିବା ଆତ୍ମହତ୍ୟାକୁ ରୋକିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସେପ୍ଟେମ୍ବର ୧୦କୁ ଆତ୍ମହତ୍ୟା ନିରୋଧୀ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଆତ୍ମହତ୍ୟାଜନିତ ଘଟଣା ବଢିବା ବର୍ତ୍ତମାନ ସମୟରେ ବଡ଼ ଆହ୍ୱାନ ସୃଷ୍ଟି କରିଛି।