କନକବ୍ୟୁରୋ : ସାରା ଦେଶରେ ନଭେମ୍ଵର ୨୬ ତାରିଖକୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ । କିନ୍ତୁ ଏହି ଦିବସର ମହତ୍ଵ ହୁଏତ ଅନେକଙ୍କୁ ଜଣା ନ ଥାଇପାରେ । ଭାରତରେ ଶ୍ଵେତ ଆନ୍ଦୋଳନର ଜନକ ଡ. ଭର୍ଗିଜ କ୍ୟୁରିୟନଙ୍କ ଜନ୍ମ ଦିବସକୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଇଥାଏ ।
ଭାରତରେ ଶ୍ବେତ ଆନ୍ଦୋଳନର ପ୍ରଣେତା ଭର୍ଗିଜ ୧୯୨୧ ମସିହାରେ କେରଳର କୋଝିକୋଡରେ ଏକ ଖ୍ରୀଷ୍ଟିୟାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୧୯୪୦ ମସିହାରେ କେରଳର ଲୋଏଲା କଲେଜରେ ସ୍ନାତକ ସମାପ୍ତ ପରେ ଚେତ୍ରୈ ଇଞ୍ଜିନିୟରିଂ କଲେଜରୁ ଡିଗ୍ରୀ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସରକାରଙ୍କ ତରଫରୁ ତାଙ୍କୁ ଡେରି ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ବୃତ୍ତି ମିଳିଥିଲା ।
ଅଧିକ ପଢନ୍ତୁ... ଶୀତଦିନେ ଏମିତି ନିଅନ୍ତୁ ନିଜ ଶରୀର ର ଯତ୍ନ ..
୧୯୪୮ ମସିହାରେ ଆମେରିକାର ମିସିଗାନ ବିଶ୍ବବିଦ୍ୟାଳୟରେ ସେ ମେକାନିକାଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ତନ୍ମଧ୍ୟରେ ଡେରି ଇଞ୍ଜିନିୟରିଂ ମଧ୍ୟ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ରହିଥିଲା ।
ଦେଶକୁ ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ତଥା କୃଷକଙ୍କ ଅବସ୍ଥାରେ ସୁଧାର ପାଇଁ ସେ ତ୍ରିଭୁବନ ବାଇ ପଟେଲଙ୍କ ସହ ମିଶି ଗୁଜୁରାଟର ଖେଡା ଜିଲ୍ଲାରେ ସରକାରୀ ସମବାୟ ସମିତିର ଶୁଭାରମ୍ଭ କରିଥିଲେ ଭର୍ଗିଜ୍ ।
୧୯୪୯ ମସିହାରେ ଭର୍ଗିଜ ଗୁଜୁରାଟର ଦୁଇଟି ଗ୍ରାମର ସହଯୋଗିତାରେ ଏକ ଦୁଗ୍ଧ ସହକାରିତା ସଂଘ ଗଠନ କରିଥିଲେ । ମଇଁଷି ଦୁଗ୍ଧରେ ମିଲ୍କ ପାଉଡର୍ ତିଆରି କରିବାରେ ବିଶ୍ବରେ ଭର୍ଗିଜ ଥିଲେ ପ୍ରଥମ । କାରଣ ପୂର୍ବରୁ କେବଳ ଗାଈ ଦୁଗ୍ଧରେ ହିଁ ପାଉଡର ତିଆରି କରାଯାଉଥିଲା । ଏହାପରେ ଗୁଜୁରାଟର ଆନନ୍ଦରେ ଅମୁଲର ମୂଳଦୁଆ ପଡ଼ିଥିଲା।
ଶ୍ବେତ ଆନ୍ଦୋଳନର ଜନକ ଭର୍ଗିଜଙ୍କ ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଲାଗି ‘ଅପରେସନ ଫ୍ଲଡ’ କାର୍ଯ୍ୟକ୍ରମ ହାତକୁ ନେଲେ । ଏହା ଭାରତରେ ଥିବା ଦୁଗ୍ଧ ଉତ୍ପାଦନ ଓ ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା । ଭର୍ଗିଜଙ୍କ ଉଦ୍ୟମ ଦୁଗ୍ଧ ଉତ୍ପାଦନକୁ ନେଇ ସଂଘର୍ଷ କରୁଥିବା ଭାରତକୁ ବିଶ୍ଵର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ ଭାବେ ଗଢିତୋଳିଥିଲା । ତାଙ୍କ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ରମନ୍ ମେଗସେସେ ପୁରସ୍କାର, ପଦ୍ମ ବିଭୂଷଣ ଉପାଧି ତଥା ବିଶ୍ଵ ଖାଦ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/26/milk-day-2025-11-26-12-19-42.jpg)