କନକ ବ୍ୟୁରୋ: ଆଜି ପବିତ୍ର ମହାଷ୍ଟମୀ । ଶ୍ରଦ୍ଧାଳୁ ଓ ବ୍ରତଧାରୀଙ୍କ ଭିଡ଼ ସହ ଚଳଚଞ୍ଚଳ ପୂଜା ମଣ୍ଡପ । ଦେବୀ ଦଶଭୁଜାଙ୍କୁ ଭୋଗ, ଶାଢ଼ି ଓ ସିନ୍ଦୂର ଆଦି ଲାଗି କରିଛନ୍ତି ବ୍ରତଧାରୀ । ତା ସହ ଜମୁଛି ଦଶରା ବୁଲା । ପ୍ରବଳ ଭିଡ଼ ସତ୍ତ୍ୱେ ମାଆଙ୍କ ଝଲକଟିଏ ପାଇବାକୁ ଓ ମଣ୍ଡପ ଆଗରେ ସେଲ୍‌ଫିଟିଏ ନେବାକୁ ସମସ୍ତେ ବ୍ୟଗ୍ର ।  

Advertisment

ମନ୍ତ୍ରପାଠ... ଘଣ୍ଟଘଣ୍ଟା.. ବାଦ୍ୟଧ୍ବନି... । ମହାମାୟାଙ୍କ ମହାଷ୍ଟମୀ ପୂଜାରେ ମୁଖରିତ ପୂଜା ମଣ୍ଡପ । ଭକ୍ତିପୂତ ପରିବେଶରେ ଜଗତ ଜନନୀ ଦେବୀ ଦୁର୍ଗାଙ୍କ ଶାରଦୀୟ ଆରାଧନା । ଉପବାସ ରହି ନୂଆଲୁଗା ପିନ୍ଧି ଧୂପଦୀପ, ଫଳପୁଷ୍ପ, ଭୋଗରାଗ ସହ ମାଆଙ୍କ ପୂଜାର୍ଚ୍ଚନା କରିଛନ୍ତି ବ୍ରତଧାରୀ । ସିଂହବାହିନୀଙ୍କ ପାଖରେ ଲାଗି କରିଛନ୍ତି ଶାଢ଼ି ଓ ସିନ୍ଦୂର । ମନସ୍କାମନା ପୂରଣ ପାଇଁ ପଣତ ମେଲାଇ ଆଶିଷ ଭିକ୍ଷା କରିଛନ୍ତି ଶ୍ରଦ୍ଧାଳୁ।

ଆଜି ଆହୁରି ଜମିଛି ମେଢ଼ ବୁଲା । ଗତକାଲି ଅପେକ୍ଷା ଆଜି ମଣ୍ଡପ ଗୁଡ଼ିକରେ ଭିଡ଼ ଆହୁରି ବଢ଼ିଛି । ପୁଲିସ ଓ ପୂଜା କମିଟି ପକ୍ଷରୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଗାଁରୁ ସହର, ସବୁଠି ଆଲୋକମାଳାରେ ରାସ୍ତାଘାଟ ଝଲସୁଥିବା ବେଳେ, ଆକର୍ଷିତ କରୁଛି ବିଶାଳ ସୁଦୃଶ୍ୟ ପଣ୍ଡାଲ୍, ଦେବୀ ଦୁର୍ଗାଙ୍କ କମନୀୟ ମୃଣ୍ମୟୀ ପ୍ରତିମା । ତା ସହ ମେଳା, ମୀନାବଜାର, ଦୋଳି ଓ ଚଟପଟା ଖାଦ୍ୟ । ଭିଡ଼ ଯେତେ ବଢ଼ୁଛି, ସେତେ ଜମୁଛି ପାର୍ବଣ ମଉଜ ।

ମହାଷ୍ଟମୀରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା ଚାଲିଥିବା ବେଳେ, ସିଂହବାହିନୀ ମହିଷମର୍ଦ୍ଦିନୀଙ୍କ ପାଖରେ କେଉଁଠି ମାଛଭୋଗ ଲାଗି ହୋଇଛି, ତ କେଉଁଠି ଖେଚୁଡ଼ି ଭୋଗ । ରାତିରେ ରହିଛି ସନ୍ଧିପୂଜା, ଚଣ୍ଡୀପାଠ ଓ ବଳି ଆଦି ପରମ୍ପରା ।