କନକ ବ୍ୟୁରୋ: ଆଜି ପୀଠେ ଦଶମୀ ଏବଂ ମଣ୍ଡପରେ ମହାନବମୀ । କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ଟ୍ବିନ୍ ସିଟିରେ ମେଢ଼ ଦେଖିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ।
ରାଜଧାନୀ ରାତିରେ ଜମୁଛି ପୂଜାର ମାହୋଲ୍ । ଦିନରେ ଯେତିକି ଭିଡ଼ ରାତିରେ ବି ତାଠାରୁ ଅଧିକ ଭିଡ଼। ସବୁ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲମ୍ବା ଲାଇନ୍ । ଭିନ୍ନ ଭିନ୍ନ ଥିମରେ ସଜେଇ ହୋଇଛି ମଣ୍ଡପ ,ଯାହାକୁ ଦେଖିବାକୁ ପ୍ରବଳ ଗହଳି ଦେଖିବାକୁ ମିଳୁଛି । କଟକରେ ଦିନ ଅପେକ୍ଷା ରାତିରେ ମେଢ଼ ବୁଲିବାକୁ ଭଲ ପାଉଛନ୍ତି ଲୋକମାନେ । ଭିଡ଼ ହେଉଥିବାରୁ ରାତିରେ ପରିବାର ସହିତ ମିଶି ଶାରଦୀୟ ଦୁର୍ଗାପୂଜା ର ମଜା ନେଉଛନ୍ତି କଟକ ସହର ବାସିନ୍ଦା । ରାତି ୧୨ ପରେ ମଧ୍ୟ ଲୋକମାନଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି । ଖାନନଗର ଦୁର୍ଗା ପୂଜା ମଣ୍ଡପରେ ଲୋକମାନଙ୍କ ଅଧିକ ଭିଡ଼ ଦେଖିବାକୁ ମିଳିଛି । ଅପରେସନ ସିନ୍ଦୂର କୁ ଥିମ୍ କରି ତୋରଣ ପ୍ରସ୍ତୁତ କରାଯାଇଛି । ଯାହାକୁ ଦେଖବାକୁ ଲୋକମାନେ ଆସୁଛନ୍ତି । ରାତିରେ ମେଢ଼ ବୁଲିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।