1afdsffsd Photograph: (1afdsffsd)
କନକ ବ୍ୟୁରୋ : ଆଜି ପବିତ୍ର ମାଘ ପୂର୍ଣ୍ଣିମା । ପ୍ରୟାଗରାଜ ସଙ୍ଗମରେ ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ । ବହୁ ସଂଖ୍ୟାରେ ଭକ୍ତ ଆସି ଅମୃତ ସ୍ନାନ କରୁଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପାହାନ୍ତା ପହରର ବହୁ ପୂର୍ବରୁ ଘାଟମାନଙ୍କରେ ବହୁ ସଂଖ୍ୟକ ଜନସମାଗମ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ପ୍ରଶାସନ ମେଳା ଅଞ୍ଚଳରେ ଏକ ନୂତନ ଟ୍ରାଫିକ ନିୟମ ଜାରି କରିଛି । ମେଳା କ୍ଷେତ୍ର ସମେତ ସମଗ୍ର ସହରକୁ ନୋ-ଭାଇକିଲ୍ ଜୋନ୍ ଘୋଷିତ କରାଯାଇଛି । ଏପରିକି ଭିଆପି ଗାଡିଗୁଡିକ ମଧ୍ୟ ପ୍ରବେଶ କରିବାକୁ ଦିଆଯାଉ ନାହିଁ । ମହାକୁମ୍ଭର ଶେଷ ପର୍ୟ୍ୟାୟରେ, ପ୍ରୟାଗରାଜରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି । ମହାକୁମ୍ଭ ଅବସରରେ, ପ୍ରୟାଗରାଜରେ ଭକ୍ତଙ୍କ ଆଗମନ ବୃଦ୍ଧି ପାଉଛି। ଏଠାରେ ପ୍ରତିଦିନ ଭକ୍ତଙ୍କ ଆଗମନ ଜାରି ରହିଛି ଏବଂ ମାଘ ପୂର୍ଣ୍ଣିମାର ପାଇଁ ବହୁ ସଂଖ୍ୟକ ଭକ୍ତ ପ୍ରୟାଗରାଜରେ ପହଞ୍ଚିଛନ୍ତି ।
ସେପଟେ ପୁରୀରେ ପବିତ୍ର ମାଘ ପୂର୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଗଜଉଧାରଣ ବେଶ ଅନୁଷ୍ଠିତ ହେବ। ଏହି ବେଶରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଠାକୁର ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ। ଶ୍ରୀ ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ। ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପରେ ଠାକୁରଙ୍କୁ କ୍ଷୀରି ଓ ଅମାଲୁ ଭୋଗ କରାଯିବ। ପୌରାଣିକ କଥା ବସ୍ତୁ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭକ୍ତର ଡାକ ଶୁଣି ଠାକୁର କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ। ସେହି ସ୍ମୃତିରେ ଶହଶହ ବର୍ଷ ଧରି ଠାକୁରଙ୍କ ଏହି ଗଜଉଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି।
Follow Us