କନକବ୍ୟୁରୋ : ଆଜି ଗାନ୍ଧୀ ଜୟନ୍ତୀ। ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ଆଜି ୧୫୬ତମ ଜନ୍ମ ବାର୍ଷିକୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗାନ୍ଧୀ ଜୟନ୍ତୀର ପୂର୍ବ ସଂଧ୍ୟାରେ କହିଛନ୍ତି ଯେ, ଏହା ଜାତିର ପିତାଙ୍କ ଆଦର୍ଶ ଏବଂ ମୂଲ୍ୟବୋଧକୁ ସମର୍ପିତ କରିବାର ଏକ ଅବସର । ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଶାନ୍ତି, ସହନଶୀଳତା ଏବଂ ସତ୍ୟର ବାର୍ତ୍ତା ଦେଇଛନ୍ତି, ଯାହା ସମଗ୍ର ମାନବଜାତି ପାଇଁ ପ୍ରେରଣା। ସେ ଅସ୍ପୃଶ୍ୟତା, ନିରକ୍ଷରତା, ନିଶା ଏବଂ ଅନ୍ୟାନ୍ୟ ସାମାଜିକ କୁପ୍ରଥା ଦୂର କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ ଏବଂ ସମାଜର ଦୁର୍ବଳ ବର୍ଗକୁ ଶକ୍ତି ଓ ସମର୍ଥନ ଦେଇଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି ।  ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ଓ ଦେଶରେ ବିଭିନ୍ନ ସରକାରୀ ଓ ଘରୋଇ ଅନୁଷ୍ଠାନମାନଙ୍କରେ ବିଭିନ୍ନ କାର୍ୟ୍ୟକ୍ରମ ହେବାର ଅଛି  ।

Advertisment

ସେପଟେ ଆଜି ପଦଯାତ୍ରା କରିବ କଂଗ୍ରେସ । ଗାନ୍ଧୀ ଜୟନ୍ତୀ ଅବସରରେ ବର୍ଷ ବ୍ୟାପୀ ହେବାକୁ ଥିବା ପଦଯାତ୍ରାର ଆଜି ଶୁଭାରମ୍ଭ କରିବ ଦଳ। ଏହାର ନାଁ ରଖାଯାଇଛି ‘ଗାନ୍ଧୀ ପଥେ ଓଡ଼ିଶା’ ପଦଯାତ୍ରା । ମାଲକାନଗିରି ମୋଟୁରୁ ଏହାର ଆରମ୍ଭ ହେବ। ଏଥିରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସହ କଂଗ୍ରେସର ବରିଷ୍ଠ ନେତାମାନେ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି । ପ୍ରଥମ ପର୍ୟ୍ୟାୟର ଏହି ପଦଯାତ୍ରା ଆସନ୍ତାକାଲି ମଧ୍ୟ ଚାଲିବ। ପରେ ବର୍ଷବ୍ୟାପୀ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରାର ଦ୍ବିତୀୟ ପର୍ୟ୍ୟାୟ କରିବ କଂଗ୍ରେସ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗ ନେଇ ଏହି ପଦଯାତ୍ରା କରିବାକୁ ଯାଉଛି ଦଳ ।