କନକବ୍ୟୁରୋ : ଏପ୍ରିଲ ୭ତାରିଖ, ବରା ଦିବସ । ଢେଙ୍କାନାଳ ଜିଲ୍ଲା ହେଉଛି ବରା ପାଇଁ ପ୍ରସିଦ୍ଧ । ଦେଶୀ ବିରି ଓ ଚାଉଳ ମିଶାଇ ଏହି ବରା ପ୍ରସ୍ତୁତ ହୁଏ । ଆଉ ତା ସହିତ ପିଆଜ ଲଙ୍କା ଅଦାର ମିଶ୍ରଣରେ ଅଧିକ ସ୍ବାଦିଷ୍ଟ ବରା ପ୍ରସ୍ତୁତ ହୋଇଥାଏ । ଗରମ ତେଲ କଡ଼େଇରେ ବରା ଛଣାର ମହକ ପୂରା ଅଞ୍ଚଳ ମହକି ଯାଏ । ଆଉ ବରା କୁ ଛୋଟରୁ ବଡ ସମସ୍ତେ ବେଶ ପସନ୍ଦ କରିଥାନ୍ତି  ।  ଢ଼େଙ୍କାନାଳ ହେଉଛି ବରାର ପ୍ରଥମ ଜନ୍ମସ୍ଥଳ । ଏବେ ବି ଢେଙ୍କାନାଳରେ ଏହି ପ୍ରସିଦ୍ଧ ବରାର ଚାହିଦା ରହିଛି  ।  କେବଳ ଢେଙ୍କାନାଳ ନୁହେଁ ପ୍ରତି ଜିଲ୍ଲାର ଲୋକଙ୍କର କିଛି ନା କିଛି ଦୁର୍ବଳତା ରହିଛି ବରା ପ୍ରତି ।

Advertisment

ସବୁ ଦିନିଆ ଖାଦ୍ୟର ତାଲିକାରେ ବରାର ସ୍ଥାନ ରହିଛି  ।  ତେବେ ବରାର ପରିଚୟ କିନ୍ତୁ ହେଉଛି ଢେଙ୍କାନାଳରୁ । ଦେଢଶହ ବର୍ଷରୁ ଅଧିକ ବର୍ଷ ହେବ ବରାର ପ୍ରସିଦ୍ଧି ରହିଛି ଜିଳ୍ଲାରେ ।  ଢେଙ୍କାନାଳ ସହରରେ ବିଭିନ୍ନ ସ୍ଥାନରେ ଛୋଟରୁ ନେଇ ବଡ ବଡ ହୋଟେଲ ଗୁଡିକରେ ଭେରାଇଟି ବରା ସବୁ ପ୍ରସ୍ତୁତ ହୋଇଥାଏ । ସକାଳ ଜଳଖିଆରୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ବରାକୁ ଲୋକେ ପସନ୍ଦ କରନ୍ତି । ତେବେ ସାଧାରଣ ବରା ଅପେକ୍ଷା ଜିରା ଓ ଅଦା ମିଶା ବରାର ସ୍ବାଦ କିଛି ଅଲଗା ରହିଛି । ଏବେ ବି ଏହି ବରାର ଅଧିକ ଡିମାଣ୍ଡ ରହିଛି ।  କେବଳ ଖାଦ୍ୟ ନୁହେଁ ବରା ବହୁ ଲୋକଙ୍କୁ ଭଲ ରୋଜଗାର ମଧ୍ୟ ଦେଇଛି । ଆଜି ବରା ଦିବସରେ ବିଭିନ୍ନ ସ୍ଥାନରେ ଏହି ବରା ଖାଇ ସମସ୍ତେ ଏହି ଦିବସ ପାଳନ କରିଛନ୍ତି ।  
---