କନକ ବ୍ୟୁରୋ: ଆଜି ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ଶ୍ରୀଜଗନ୍ନାଥ ମହାପ୍ରଭୁ ବଡ଼ଭାଇ , ଭଉଣୀ ଓ ମହାୟୁଧ ଚକ୍ରରାଜ ସୁଦର୍ଶନଙ୍କୁ ସାଙ୍ଗରେ ନେଇ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରିବାର ପର୍ବ । ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀଜିଉଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡ଼ା ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ । ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି -
ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ । ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା ॥
(ସ୍କନ୍ଧ ପୁରାଣ, ଉତ୍କଳ ଖଣ୍ଡ)
ଅର୍ଥାତ ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ । ଏହି ଦିନ ପ୍ରାତଃକାଳ ଅତ୍ୟନ୍ତ ସମୃଦ୍ଧିବାନ୍ । ସେଦିନ ବିଷ୍ଣୁଙ୍କର ପାଲିତ ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁଲ୍ଲଭ । ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧାବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ ।
ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି । ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡ଼ା ଯାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ମହାପ୍ରଭୁ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ । ଏପରିକି ଭକ୍ତମାନେ ଏହି ଦୁଲ୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ ।
ଦୀର୍ଘ ଦିନର କର୍ମମୟ ଜୀବନରୁ ଟିକେ ବାହାରି ମହାପ୍ରଭୁ ବାହାରିଥିଲେ ମାଆ କୋଳକୁ । ହେଲେ ସେଠି କ’ଣ ଏତେ ଦିନ ରହିହେବ । ସେ ପରା ଏ ସାରା ମାନବ ସମାଜକୁ କର୍ମ ଯୋଗ ଶିକ୍ଷା ଦେଉଥିବା ଠାକୁର ।ନିଜେ କିପରି ନିଶ୍ଚିନ୍ତରେ ମାଆ ପାଖରେ ରହିପାରନ୍ତେ । ତେଣୁ ଗଣ୍ଡିଚା ବାଡ଼ିରେ କିଛି ମାତ୍ର ଦିନର ରହଣୀ ପରେ ପୁଣି କର୍ମ କ୍ଷେତ୍ର ଆଡ଼କୁ ବାହାରିବେ ମଣିମା । ପୁଣି ସେହି ରତ୍ନ ସିଂହାସନରେ ବସି କେତେ କାହାର ଦୁଃଖ ଶୁଣିବେ ।