କନକ ବ୍ୟୁରୋ : ଅଗ୍ରପୂଜ୍ୟଙ୍କ ଆରାଧନା ସହ ଆସିଛି ପାର୍ବଣ । ଆଜି ଗଣେଶ ଚତୁର୍ଥୀ । ବିଘ୍ନ ବିନାଶକଙ୍କ ପାଇଁ ଗାଁଠୁ ସହର ଚଳଚଞ୍ଚଳ। ଗାଁଠୁ ସହର ସବୁଆଡେ ଉତ୍ସବମୁଖର ପରିବେଶ । ପୂଜା କମିଟି ଗୁଡିକ ବିଭିନ୍ନ ପ୍ରକାର ଡିଜାଇନରେ ଗଜାନନଙ୍କ ମୂର୍ତ୍ତି କରିଛନ୍ତି । ବାଲେଶ୍ବର ଆଜିମାବାଗରେ ଥିବା ବହି ଘରରେ ଗଣେଶଙ୍କ ନିଆରା ମୂର୍ତ୍ତି ପ୍ରସ୍ତୁତ ହୋଇଛି । ବହିକୁ ସଜାଇ ଗଜାନନଙ୍କ ଆକାର ଦିଆଯାଇଛି । ସେପଟେ ବ୍ରହ୍ମପୁରରେ ଗଣେଶ ପୂଜା ଧୁମ୍ ଧାମ ରେ ପାଳିତ ହେଉଛି । ସହରର ବିଭିନ୍ନ ପୀଠ ସମେତ ସାହି ସାହି ଗଳି ଗଳିରେ ଆଜି ପୂଜା ପାଉଛନ୍ତି ଶ୍ରୀ ଗଣେଶ । ପୂଜାକୁ ନେଇ ସବୁଠାରୁ ବେଶୀ ଉତ୍ସାହିତ ଛାତ୍ରଛାତ୍ରୀ। ସକାଳୁ ନୂତନ ବସ୍ତ୍ର ପିନ୍ଧି ହାତରେ, ଭୋଗ ନଡ଼ିଆ ଧରି ସ୍କୁଲରେ ପହଂଚି ଛାତ୍ର ଛାତ୍ରୀ ପୂଜାର୍ଚ୍ଚନା କରିଛନ୍ତି । ସନ୍ଧ୍ୟାରେ ମଣ୍ଡପ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।