କନକ ବ୍ୟୁରୋ : ଆଜି ଭାରତ-ପାକିସ୍ତାନ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ । ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍‌ । ଦିନ ୨.୩୦ରୁ ଆରମ୍ଭ ହେବ ହାଇଭୋଲଟେଜ୍ ଲଢେଇ । ଫ୍ୟାନ୍ସ ଏକ ଲୋମଟାଙ୍କୁରା ତଥା ଦମଦାର ମୁକାବିଲା ଦେଖିବା ଆଶାରେ ଅଛନ୍ତି। ମ୍ୟାଚକୁ ନେଇ କ୍ରିକେଟ ପ୍ରଶଂସକ ଯେତିକି ଉତ୍ସାହିତ ଦୁଇ ଦେଶର ଖେଳାଳି ମଧ୍ୟ ସେତିକି ଚାପରେ । କରାଚୀରେ ନ୍ୟୁଜିଲାଣ୍ଡ୍ ନିକଟରୁ ହାରି ଦୁବାଇ ଆସିଥିବା ପାକିସ୍ତାନ ଏବେ ପ୍ରବଳ ଚାପରେ ରହିଛି। ପାକିସ୍ତାନ ଏଥର ବିଜେତା ଓ ଆୟୋଜକ ଭାବେ ଖେଳୁଥିବାରୁ ଆଗୁଆ ବିଦାୟ ନେବାର ଆଶଙ୍କା ଭିତରେ ବି ପଡ଼ିଛି। ଆଜି ଭାରତଠାରୁ ହାରିଗଲେ ମହମ୍ମଦ ରିଜୱାନଙ୍କ ଦଳ ସେମିଫାଇନାଲ୍‌ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିବ। ଅନେକ ବର୍ଷଧରି ଭାରତକୁ ହରାଇବାରେ ପାକିସ୍ତାନ ସକ୍ଷମ ହେଉନଥିବାରୁ ଅତିରିକ୍ତ ଚାପ ବି ରହିଛି ଏହି ଦଳ ଉପରେ। ନ‌ହେଲେ ୩ ଦଶନ୍ଧି ପରେ ପାକିସ୍ତାନକୁ ମିଳିଥିବା ଆୟୋଜନର ଉତ୍ସାହ ପ୍ରଥମରୁ ଫିକା ପଡ଼ିଯିବ। ରୋହିତ ଶର୍ମାଙ୍କ ଦଳ ବି ପାକିସ୍ତାନ ବିପକ୍ଷ ଧାରାକୁ ଆଗକୁ ନେଇ ସେମିଫାଇନାଲ୍ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି। ଆଇସିସି ଚାମ୍ପିଅନ୍ସ ଟ୍ରଫିର ୨୦୧୭ ସଂସ୍କରଣ ଫାଇନାଲ୍‌ରେ ଭାରତକୁ ହରାଇ ପାକିସ୍ତାନ ବିଜେତା ହୋଇଥିଲା। ସେହିଭଳି ୨୦୨୧ ଟ୍ବେଣ୍ଟି-୨୧ ବିଶ୍ବକପ୍‌ରେ ମଧ୍ୟ ହରାଇବାରେ ସକ୍ଷମ ହେବାରୁ ପରାଜୟର ଲମ୍ବା ଧାରାକୁ ଭାଙ୍ଗିଥିଲା। ପାକିସ୍ତାନ ବିପକ୍ଷ ବିଗତ ୧୧ ଦିନିକିଆ ମ୍ୟାଚ୍‌ରୁ ଭାରତ ୯ଟି ଜିତିଛି। ଏସବୁ ମ୍ୟାଚ୍‌ ବିଶ୍ବକପ୍‌, ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍‌ରେ ଦେଖିବାକୁ ମିଳିଛି। ଚାମ୍ପିଅନ୍ସ ଟ୍ରଫି ଇତିହାସରେ କିନ୍ତୁ ପାକିସ୍ତାନ ୩-୨ରେ ଆଗୁଆ ରହିଛି, ଯେଉଁଥିରେ ୨୦୧୭ ଫାଇନାଲର ଏକତରଫା ବିଜୟ ସାମିଲ ରହିଛି।