strike Photograph: (KanakNews)
କନକ ବ୍ୟୁରୋ : ଶ୍ରମ କୋଡ୍ ରଦ୍ଧ ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚର ଦେଶବ୍ୟାପି ଧର୍ମଘଟ । ନୂଆ ଶ୍ରମ କୋଡ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାତିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ଶ୍ରମ କୋଡ୍ ପ୍ରତ୍ୟାହାର ଦାବିରେ ବନ୍ଦ ଡାକରା ଦେଇଛନ୍ତି । ଏଥିସହ ଓଡ଼ିଶାରେ ଚାଲିଥିବା ବିଜୁଳି ବିଲ୍, କଟନିଛଟନି ଓ ମନରେଗାକୁ ପ୍ରସଙ୍ଗ କରି ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସଂଗଠନ । କଂଗ୍ରେସ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ର ଦାବି ଦେଶବ୍ୟାପି ୩୦ କୋଟିରୁ ଅଧିକ ଲୋକ ବନ୍ଦ ପାଳନରେ ସାମିଲ ହେବେ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେଶବ୍ୟାପି ବନ୍ଦ ପାଳନ ହେବ । ବନ୍ଦ ପାଳନ ସମୟରେ ସାରାରାଜ୍ୟରେ ବସ୍, ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ । ସ୍କୁଲ ଓ କଲେଜ ବନ୍ଦ ରହିବା ଆଶଙ୍କା ରହିଛି । ଓଡ଼ିଶାରେ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳରୋକ, ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ବିକ୍ଷୋଭ କରିବା ଯୋଜନା ରହିଛି । ୨୧ ନଭେମ୍ବର ୨୦୨୫ ରେ ନୂଆ ଶ୍ରମ କୋଡ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ଆସୁଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ସରକାରଙ୍କ "ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍"କୁ ଆଗକୁ ବଢ଼ାଇବା ପାଇଁ ଶ୍ରମିକଙ୍କ ରକ୍ତ ଶୋଷଣ କରି କର୍ପୋରେଟ୍ ଓ ମାଲିକମାନଙ୍କୁ ଅତ୍ୟଧିକ ଲାଭ ଦେବା ଏହାର ଲକ୍ଷ୍ୟ ବୋଲି ଅଭିଯୋଗ କରି ଆସୁଛନ୍ତି ।
Follow Us