କନକ ବ୍ୟୁରୋ: ଧୀରୁଭାଇ ଅମ୍ବାନୀ । ନାଁ ତ ନିଶ୍ଚୟ ଶୁଣିଥିବେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା । ସେହି ରିଲାଏନ୍ସ, ଯାହା ଆଜି ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନି । ଆଜି ଧୀରୁଭାଇ ଅମ୍ବାନୀଙ୍କ ପୁଣ୍ୟତିଥି । ନିଜ ପରିଶ୍ରମ ବଳରେ ଶୂନ୍ୟରୁ ଶିଖର ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ସେ ନିଜ ଦମରେ ରିଲାଏନ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଏହାକୁ ଦେଶର ସବୁଠାରୁ ବଡ଼ କମ୍ପାନିଗୁଡ଼ିକ ମଧ୍ୟରେ ସାମିଲ କରିଥିଲେ । ଧୀରୁଭାଇ ଅମ୍ବାନୀ ମାତ୍ର ୫୦୦ ଟଙ୍କାରୁ ନିଜ ବ୍ୟବସାୟ ଆରମ୍ଭ କରିଥିଲେ । ୨୮ ଡିସେମ୍ବର ୧୯୩୨ରେ ଗୁଜରାଟରେ ଜନ୍ମିତ ଧୀରୁଭାଇ ବ୍ୟବସାୟ ଦୁନିଆରେ ପାଦ ଦେଇ ଏକ ନୂତନ ବିପ୍ଳବ ସୃଷ୍ଟି କରିଥିଲେ । ଧୀରୁଭାଇ ଅମ୍ବାନୀଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିଲା । ତାଙ୍କ ପିତା ଜଣେ ସାଧାରଣ ଶିକ୍ଷକ ଥିଲେ ଏବଂ ମାଆ ଜଣେ ଗୃହିଣୀ ଥିଲେ । ପାଞ୍ଚ ଭାଇଭଉଣୀଙ୍କ ସହ ପୂରା ପରିବାର ଦୁଇ ବଖରା ଘରେ ରହୁଥିଲେ । ସେ ଅଳ୍ପ ବୟସରୁ ହିଁ ଘରର ଦାୟିତ୍ୱ ଉଠାଇବା ଆରମ୍ଭ କରିଦେଇଥିଲେ । ସେ ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିପାରିଥିଲେ । ଏହାପରେ ସେ ଫଳ ଏବଂ ପକୁଡ଼ି ବିକିବା ଆରମ୍ଭ କଲେ ।
ସେଠାରେ ଅଧିକ ସଫଳତା ନମିଳିବାରୁ ସେ ୧୯୪୮-୪୯ ମସିହାରେ ନିଜ ବଡ଼ ଭାଇ ରମଣିକଲାଲଙ୍କ ସହାୟତାରେ ୟେମେନର ଏଡେନ ସହରକୁ ଚାଲିଗଲେ । ସେଠାରେ ସେ ଏକ ପେଟ୍ରୋଲ ପମ୍ପରେ ମାସିକ ୩୦୦ ଟଙ୍କାରେ ଚାକିରି ଆରମ୍ଭ କରିଥିଲେ । ଧୀରୁଭାଇ ୟେମେନରେ ଯେଉଁ ପେଟ୍ରୋଲ ପମ୍ପରେ କାମ କରୁଥିଲେ, କମ୍ପାନି ତାଙ୍କ କାମରେ ବହୁତ ଖୁସି ଥିଲା। ତାଙ୍କର କାମ ଏବଂ ପରିଶ୍ରମ ଦେଖି କମ୍ପାନୀ ତାଙ୍କୁ ମ୍ୟାନେଜର କରିଦେଇଥିଲା। କିନ୍ତୁ ସେ ଚାକିରିରେ ସନ୍ତୁଷ୍ଟ ନଥିଲେ । ସେ ନିଜର ବ୍ୟବସାୟ କରିବାକୁ ଚାହୁଁଥିଲେ। ୟେମେନରେ ୬ ବର୍ଷ କାମ କରିବା ପରେ ସେ ୧୯୫୪ ମସିହାରେ ଭାରତ ଫେରିଆସିଲେ। ସେ ଯେତେବେଳେ ଫେରିଲେ, ତାଙ୍କ ପକେଟରେ ୫୦୦ ଟଙ୍କା ଥିଲା। ଯଦିଓ ସେତେବେଳେ ୫୦୦ ଟଙ୍କାର ମୂଲ୍ୟ ବହୁତ ଅଧିକ ଥିଲା। ଏହି ୫୦୦ ଟଙ୍କାରୁ ହିଁ ସେ ବ୍ୟବସାୟ ଦୁନିଆରେ ପାଦ ରଖିଥିଲେ । ଧୀରୁଭାଇ ଅମ୍ବାନୀ ଯେତେବେଳେ ଭାରତ ଫେରିଲେ, ସେ ମୁମ୍ବାଇରେ ପହଞ୍ଚିଲେ। ସେଠାରେ ସେ ଜାଣିବାକୁ ପାଇଲେ ଯେ ଦେଶରେ ପଲିଷ୍ଟରର ଚାହିଦା ବହୁତ ଅଧିକ ରହିଛି। ଏହା ସହିତ ବିଦେଶରେ ଭାରତୀୟ ମସଲାକୁ ମଧ୍ୟ ବହୁତ ପସନ୍ଦ କରାଯାଏ । ସେ ପ୍ରଥମେ ମସଲା ବ୍ୟବସାୟ ଆରମ୍ଭ କଲେ । ଏଥିପାଇଁ ସେ ମୁମ୍ବାଇରେ ଏକ ଭଡ଼ା ଘର ନେଲେ ଏବଂ ନିଜ ସମ୍ପର୍କୀୟ ଭାଇ ଚମ୍ପକଲାଲ ଦିମାନୀଙ୍କ ସହାୟତାରେ 'ରିଲାଏନ୍ସ କମର୍ସିଆଲ କର୍ପୋରେସନ' କମ୍ପାନି ଆରମ୍ଭ କଲେ ।
ଅଧିକ ପଢନ୍ତୁ; ୫୦୦ ଟଙ୍କାରୁ ଆରମ୍ଭ କରିଥିଲେ ବ୍ୟବସାୟ ଆଜି ୬୨ ହଜାର କୋଟିର ଧିରୁଭାଇଙ୍କ ବ୍ୟାପାର ! ଜାଣନ୍ତୁ କିପରି ବଢିଲା ବ୍ୟାପାର ?
ସେହି ଭଡ଼ା ଓସାରିଆ କୋଠରୀକୁ ସେ ନିଜର ଅଫିସ କରିଥିଲେ । ଗୋଟିଏ ମେଜ, ତିନୋଟି ଚେୟାର ଏବଂ ରାଇଟିଂ ପ୍ୟାଡ୍ ସହିତ କାମ ଆରମ୍ଭ ହୋଇଥିଲା । ସେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଅଦା, ହଳଦୀ ଏବଂ ଅନ୍ୟାନ୍ୟ ମସଲା ପଠାଇବା ଆରମ୍ଭ କଲେ । ଧୀରୁଭାଇ ଅମ୍ବାନୀ ମସଲା ପରେ ଏବେ ଟେକ୍ସଟାଇଲ ବ୍ୟବସାୟ ଆରମ୍ଭ କଲେ । ୧୯୬୬ ମସିହାରେ ସେ ଅହମ୍ମଦାବାଦରେ ଏକ କପଡ଼ା ମିଲ୍ ଆରମ୍ଭ କଲେ ଏବଂ ପଲିଷ୍ଟର ରପ୍ତାନି କାମ ଆରମ୍ଭ କଲେ । ଏହାର ନାମ 'ରିଲାଏନ୍ସ ଟେକ୍ସଟାଇଲ' ରଖାଗଲା ।
ସେ ନିଜର ପ୍ରଥମ ବ୍ରାଣ୍ଡ 'ବିମଲ' ଲଞ୍ଚ କରିଥିଲେ। ଧୀରେ ଧୀରେ ସେ ପ୍ଲାଷ୍ଟିକ୍, ପେଟ୍ରୋକେମିକାଲ୍ ଏବଂ ବିଦ୍ୟୁତ ଉତ୍ପାଦନ ବ୍ୟବସାୟ ଆରମ୍ଭ କଲେ । ୧୯୮୫ ମସିହାରେ ସେ ରିଲାଏନ୍ସ ଟେକ୍ସଟାଇଲର ନାମ ବଦଳାଇ 'ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍' ରଖିଲେ। ୧୯୯୧-୯୨ ମସିହାରେ ସେ ଗୁଜରାଟରେ ପ୍ରଥମ ପ୍ଲାଣ୍ଟ ନିର୍ମାଣ କଲେ ଯାହା ପେଟ୍ରୋକେମିକାଲ୍ କ୍ଷେତ୍ରରେ କାମ କରୁଥିଲା । ଏହାପରେ ଧୀରୁଭାଇ ପେଟ୍ରୋକେମିକାଲ୍ ଇଣ୍ଡଷ୍ଟ୍ରିରେ ପାଦ ଦେଲେ । ୧୯୯୮-୨୦୦୦ ମସିହାରେ ସେ ଗୁଜରାଟର ଜାମନଗରରେ ବିଶ୍ୱର ସବୁଠାରୁ ବଡ଼ ରିଫାଇନାରୀ ସ୍ଥାପନ କରିଥିଲେ। ଧୀରୁଭାଇ ଅମ୍ବାନୀଙ୍କର ୬ ଜୁଲାଇ ୨୦୦୨ରେ ଦେହାନ୍ତ ହୋଇଥିଲା । ଏହା ପୂର୍ବରୁ ସେ ରିଲାଏନ୍ସକୁ ଏକ ନୂତନ ଶିଖରରେ ପହଞ୍ଚାଇ ସାରିଥିଲେ। ତାଙ୍କ ମୃତ୍ୟୁର କିଛି ସମୟ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବିଭାଜନ ତାଙ୍କର ଦୁଇ ପୁଅ ମୁକେଶ ଅମ୍ବାନୀ ଏବଂ ଅନିଲ ଅମ୍ବାନୀଙ୍କ ମଧ୍ୟରେ ହୋଇଗଲା । ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଦାୟିତ୍ୱ ମୁକେଶ ଅମ୍ବାନୀଙ୍କ ହାତରେ ଅଛି। ଅନ୍ୟପଟେ ଅନିଲ ଅମ୍ବାନୀଙ୍କ ଦୁଇଟି ପ୍ରମୁଖ କମ୍ପାନି ହେଉଛି ରିଲାଏନ୍ସ ପାୱାର ଏବଂ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/28/dhirubhai-ambani-2025-12-28-13-11-58.jpg)