କନକ ବ୍ୟୁରୋ: କୁରୁକୁରିଆ, ମୁସୁମୁସିଆ... ପାଟିକୁ ଭାରି ସୁଆଦିଆ । ଆମ ଢେଙ୍କାନାଳ ବିରି ବରା । ବରା ତ ସବୁଠି ମିଳେ, ସମସ୍ତେ ଖାଆନ୍ତି, ହେଲେ ଢେଙ୍କାନାଳ ବରା ଟିକେ ନିଆରା । ସକାଳ ହେଉ କି ସନ୍ଧ୍ୟା, ଜଳଖିଆରେ ବରା ନହେଲେ ପାଟି ଟା ବାଗ ଲାଗେନି । ପିଲାଠୁ ବୁଢ଼ା ଏଠି ବରା ଖାଇବାକୁ ସମସ୍ତେ ପାଗଳ । ପିଜା, ବର୍ଗର ଯୁଗରେ ବରାର ସ୍ଥାନ ଆଜି ସ୍ୱତନ୍ତ୍ର । ବରା ଯଦି ଆଜି ବଞ୍ଚିଛି କେବଳ ଢେଙ୍କାନାଳ ପାଇଁ । ମୁସୁମୁସିଆ ବରା ସାଙ୍ଗକୁ ଗରମ ଗରମ ଘୁଗୁନି ଖାଇବାର ମଜା ଯିଏ ପାଇଛି ସେ କେମିତି ବା ଭୁଲିବ ଢେଙ୍କାନାଳକୁ ।
ଢେଙ୍କାନାଳ ବରା ଅନ୍ୟ ବରା ତୁଳନାରେ ସ୍ୱତନ୍ତ୍ର ଆଉ ଭିନ୍ନ । କାରଣ ଅନ୍ୟ ସ୍ଥାନରେ ବିରି ଅଂଶଠାରୁ ସୁଜି ଅଂଶ ଅଧିକ ଥାଏ । ହେଲେ ଢେଙ୍କାନାଳ ବରା କେବଳ ବିରିରେ ହିଁ ତିଆରି ହୋଇଥାଏ । କଳା ବିରି ଓ ଅରୁଆ ଚାଉଳରେ ଏଠାରେ ବରା ତିଆରି କରାଯାଏ । ବିରି, ଅରୁଆ ଚାଉଳକୁ ଠିକ ପରିମାଣରେ ଭଲ ଭାବେ ବାଟି ଦିଆଯାଏ । ଏହାପରେ ବିରି ଫୁଲିବା ପରେ ସେଥିରେ ଅଦା, ଆମ୍ୱ କସିଆ ଅଦା, କଞ୍ଚାଲଙ୍କା, ଭୃସଙ୍ଗପତ୍ର, ଧନିଆ ପତ୍ର, ଗୋଟା ଜିରା ଓ ପିଆଜ ପକାଯାଏ ବରା ଛଣା ଯାଏ । ଛଣା ହେଲା ପରେ ବରାର ଉପର ଅଂଶ ଭାରି ମୁସମୁସିଆ ହୋଇଥାଏ, ଆଉ ଭିତର ନରମ । ଯାହା ପାଟିକୁ ଭାରି ସୁଆଦିଆ ଲାଗିଥାଏ ।
ସାରା ଓଡ଼ିଶାରେ ପ୍ରସିଦ୍ଧିଲାଭ କରିଥିବା ଏହି ବରା ଜିଆଇ ଟ୍ୟାଗ ପାଇଁ ଯୋଗ୍ୟତା ରଖୁଥିବା ଦାବି କରିଛନ୍ତି ଢେଙ୍କାନାଳବାସୀ । ୨୦୨୩ ମସିହା ଏପ୍ରିଲ ୭ ତାରିଖକୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ପାଳନ କରାଯାଇ ଆସୁଛି । ଏହି ଦିନ ଢେଙ୍କାନାଳବାସୀ ଏକାଠି ହୋଇ ସ୍ମୃତି, ଅନୁଭୂତି ବାଣ୍ଟିବା ସହ ବରା ଖାଇ ବରା ଦିବସ ପଳନ କରିଥାନ୍ତି । ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ବରା ଦିବସ ପାଳନ କରାଯାଇଛି ।
ବରା କେବଳ ଗୋଟିଏ ଖାଦ୍ୟ ନୁହେଁ ବରା ଗୋଟେ ଇମୋସନ୍ । ଏଠି କେବଳ ଲୋକ ଜଳଖିଆ ନୁହେଁ ପଖାଳ ଭାତରେ ବି ବରା ଖାଇଥାନ୍ତି । ବିରିରେ ପ୍ରସ୍ତୁତ ହେଉଥିବା ଏହି ବରା ଢେଙ୍କାନାଳକୁ ସ୍ୱତନ୍ତ୍ର କରିଛି । ଢେଙ୍କାନାଳ ସହ ବରାର ସମ୍ପର୍କ ଅତୁଟ ଆଉ ଐତିହାସିକ ।