କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ତିନି ଠାକୁର । ନୀତି ନିର୍ଘଣ୍ଟର ବହୁ ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ଆଡ଼ପ ମଣ୍ଡପରୁ ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିତ ହୋଇଥିଲେ ଚତୁର୍ଦ୍ଧାମୁରତି। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ତା ପରେ ମା ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ଏହା ପରେ ଟାହିଆ ସହ ମହାପ୍ରଭୁଙ୍କ ଝୁଲି ଝୁଲି ଆସିବାର ଦୃଶ୍ୟ ଭକ୍ତଙ୍କ ହୃଦସ୍ପନ୍ଦନ ବଢାଇଦେଇଥିଲା । ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଶରଧାବାଲି । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ ।
୩ ରଥରେ ପହଣ୍ଡି ପରେ ବିରାଜିତ ଶ୍ରୀବିଗ୍ରହଙ୍କ ସେବା ପାଇଁ ପହଁଚିଥିଲେ ଆଦ୍ୟ ସେବକ ଗଜପତି ମହାରାଜ । ରଥ ଉପରେ ଛେରାପହଁରା ପାଇଁ ସୁସଜ୍ଜିତ ପାଲିଙ୍କି ତାମଯାନ୍ରେ ଆସିଥିଲେ । ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ଛେରାପହଁରା । ସୁନା ଖଡ଼ିକାରେ ତିନ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହି ନୀତି ପରେ ଚାରମାଳ ଖୋଲାଯିବା ସହ ରଥରେ ଘୋଡ଼ା ଯଚା ଯାଇଥିଲା ।
ବାହୁଡ଼ା ଯାତ୍ରା ପାଇଁ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ହେଇଛି ସମସ୍ତ ନୀତି । ଗୁଣ୍ଡିଚା ଯାତ୍ରାରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଗଡ଼ିପାରିନଥିଲା। ସେହି ଅପବାଦରୁ ମୁକ୍ତି ପାଇଁ ବାହୁଡ଼ାରେ ସଅଳ ହୋଇଛି ରଥଟଣା । ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ବଜକୁ ଟାଣିଥିଲେ ଭକ୍ତ । ପରେ ଗଡ଼ିଥିଲା ଯୋଗମାୟା ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଶେଷରେ ଘୋର ଘର୍ଘର ନାଦ କରି ଗଡ଼ିଥିଲା ନନ୍ଦିଘୋଷ । ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିଲେ କାଳିଆ ଠାକୁର। ଜଗବନ୍ଧୁ ଜଗନ୍ନାଥଙ୍କ ରଥ ଦଉଡ଼ିକୁ ଟାଣିଥିଲେ ଭକ୍ତ । ଭଗବାନ ଓ ଭକ୍ତଙ୍କ ଏହି ଅପୂର୍ବ ମିଳନର ଦୃଶ୍ୟ ଦେଖି ବିମୋହିତ ହୋଇଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ ।