କନକ ବ୍ୟୁରୋ: ତିରୁପତି ଲଡୁକୁ ନେଇ ଜାରି ରହିଛି ବିବାଦ। ଏଥିରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ସାରାଦେଶରେ ଅସନ୍ତୋଷ ଜାରି ରହିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ସାଙ୍ଘାତିକ ଅଭିଯୋଗ। ପ୍ରସାଦ ରୂପେ ବଣ୍ଟନ ହେଉଥିବାଏହି ଲଡ଼ୁରେ ତମାଖୁ ମିଶୁଥିବା ନେଇ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସିଗାରେଟ ଗୁଣ୍ଡ ମଧ୍ୟ ମିଳିଥିବା ଅଭିଯୋଗ ହୋଇଛି । ତେଲେଙ୍ଗାନା ଖମାମ ଜିଲ୍ଲାର ଜଣେ ଭକ୍ତ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି।
ଡି. ପଦ୍ମାବତୀ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ ତାରିଖରେ ତିରୁପତି ତିରୁମାଲା ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ପବିତ୍ର ଲଡୁକୁ ସେ ନିଜ ପରିବାର ଓ ପଡୋଶୀ ସହ ବାଣ୍ଟିବା ପାଇଁ ଆଣିଥିଲେ। ତେବେ ଘରକୁଆଣି ବାଣ୍ଟିବା ପାଇଁ ଲଡ଼ୁ ଖୋଲିବା ପରେ ଏଥିରେ କାଗଜରେ ଗୁଡା ହୋଇଥିବା ତମାଖୁ ଖଣ୍ଡ ଥିବା ଦେଖିବାକୁ ପାଇଥିଲେ। ଏହାକୁନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ପ୍ରସାଦ ଲଡୁରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବିର ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହି ଘଟଣା ସାମ୍ନାକୁ ଅସିଛି।
ପଦ୍ମାବତୀ ଦୁଃଖ ପ୍ରକାଶ କରି କହିଛନ୍ତି, ଯେତେବେଳେ ସେ ପ୍ରସାଦ ଆକାରରେ ଲଡୁ ପାଇଲି । ତମାଖୁ ଦେଖି ଭୟଭୀତ ହେବା ସହ ଦୁଖ ଅନୁଭବ କରିଥିଲେ । ଏଭଳି ଘଟଣା ଧାର୍ମିକ ମନୋଭାବକୁ ଆଘାତ ଦେଉଛି । ସେପଟେ ତିରୁମଲା ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ମୁହଁଖୋଲିଛି। ନମୁନାକୁ ଫୁଡ଼୍ ସେଫଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସଚିବ ନିଧି ଖାଡେ କହିଛନ୍ତି।