କନକ ବ୍ୟୁରୋ : ପୋକସୋ ମାମଲାକୁ ବେଶ୍ ଗୁରୁତ୍ଵ ଦେଇ ବିଚାର କରାଯାଉଛି । ଦୋଷୀ କଠୋର ଦଣ୍ଡ  ପାଉଛନ୍ତି । ତେବେ ନାବାଳିକା ଅପହରଣ ଓ ଦୁଷ୍କର୍ମ ଭଳି ଏକ ପୋକସୋ ମାମଲାରୁ ବର୍ତ୍ତିବା ପାଇଁ କୋର୍ଟରେ ପୀଡ଼ିତାଙ୍କ ଜାଲ୍ ଜନ୍ମ ପ୍ରମାଣପତ୍ର ଦେଖାଇ ଫସିଛି ଅଭିଯୁକ୍ତ । ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିବା ପରେ ଦୋଷୀକୁ ପୋକସୋ ଆଇନ ଅନୁଯାୟୀ ୨୦ ବର୍ଷ ଜେଲ୍ ଦଣ୍ଡ ମିଳିଛି ।

Advertisment

ବାଲେଶ୍ୱରର ଏଭଳି ଏକ ମାମଲା ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୁକ୍ତ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ନାବାଳିକାଙ୍କର ଜନ୍ମ ପ୍ରମାଣପତ୍ରରେ ଜନ୍ମ ତାରିଖ ଯାହା ଲେଖାହୋଇଛି, ସେହି ଅନୁସାରେ ଅଭିଯୋଗ ବେଳକୁ ପୀଡିତାଙ୍କ ବୟସ ୧୮ବର୍ଷରୁ ଅଧିକ ରହିଛି । କିନ୍ତୁ ଏହି ସାର୍ଟିଫିକେଟ ନକଲି ବୋଲି ତଦନ୍ତ ବେଳେ ଧରାପଡି ଯାଇଥିଲା । ପୀଡିତାଙ୍କୁ ପ୍ରାପ୍ତ ବୟସ୍କା ଦର୍ଶାଇ ଖସିଯିବା ପାଇଁ ଅଭିଯୁକ୍ତ ପକ୍ଷରୁ ଏଭଳି ଚାଲ କରାଯାଇଥିଲା ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ତାପରେ ପୋକସୋ ଆଇନ ଅନୁସାରେ ନାବଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କମଳ ଲୋଚନ ପାଣ୍ଡିଆକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

୨୦୨୨ ମସିହା ଜାନୁଆରୀ ୧୯ ତାରିଖରେ, ବାହାନଗା ବାଗଲପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ସିମୁଳିଆ ଅଞ୍ଚଳରୁ ଖନ୍ତାପଡ଼ା ଅଞ୍ଚଳର କମଳ ଲୋଚନ ପାଣ୍ଡିଆ ଅପହରଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ନାବାଳିକା ହୋଇଥିବାରୁ ପୋକସୋ ନିୟମ ଅନୁସାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିଥିଲା । ନାବାଳିକାଙ୍କୁ ରାଜ୍ୟ ବାହାରୁ ଉଦ୍ଧାର କରିବା ସହ ଅଭିଯୁକ୍ତ କମଳ ଲୋଚନକୁ ଗିରଫ କରିଥିଲା ବାଲେଶ୍ୱର ପୁଲିସ । ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ଓ ବୟାନ ରେକର୍ଡ ପରେ ପୋକସୋ କୋର୍ଟରେ ମାମଲା ଚାଲିଥିଲା । ନାବାଳିକାଙ୍କ ମାଆ ସମସ୍ତ ଦସ୍ତାବିଜ୍ କୋର୍ଟରେ ଦାଖଲ କରିଥିଲେ ।

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ କମଳ ଲୋଚନ ପାଣ୍ଡିଆକୁ ୨୦ ବର୍ଷ କାରାଦଣ୍ଡ ଆଦେଶ ହୋଇଥିବା ବେଳେ ସେ ନାବାଳିକାଙ୍କୁ ପ୍ରାପ୍ତ ବୟସ୍କା ଦର୍ଶାଇବାକୁ ନକଲି ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗରେ ମେଡିକାଲ ଅଫିସର ଟାଉନ ଥାନାରେ ମାମଲା ରୁଜୁ କରିଛନ୍ତି ।