କନକ ବ୍ୟୁରୋ : କୋଲକାତା ଆରଜି କର ମେଡିକାଲରେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ପରେ ହତ୍ୟା ଘଟଣାର ବିରୋଧ କରି ଟିଏମସି ରାଜ୍ୟସଭା ସାଂସଦ ଜବାହାର ସରକାର ରବିବାର ଇସ୍ତଫା ଦେଇଦେଇଛନ୍ତି । ପାର୍ଟି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଚିଠି ଲେଖି ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମମତାଙ୍କୁ ଚିଠିରେ ସେ କହିଛନ୍ତି ଯେ, ତାଙ୍କର ଆଶା ଥିଲା ଆରଜି କର ମେଡିକାଲରେ ହେଇଥିବା ଘଟଣାରେ ମମତା ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ । ପୁରୁଣା ମମତା ବାନାର୍ଜୀଙ୍କ ଭଳି ଏହା ଉପରେ ଆକ୍ସନ ନେବେ । ହେଲେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆର ଜି କର ହସ୍ପିଟାଲରେ ହେଇଥିବା ଭୟାନକ ଘଟଣା ପରେ ଦୁଃଖିତ ଅଛି । ମମତା ବାନାର୍ଜୀ ନିଜର ପୁରୁଣା ଶୈଳୀରେ ଆନ୍ଦୋଳନକାରୀ ଜୁନିୟର ଡାକ୍ତରଙ୍କ ସହ ସିଧାସଳଖ କଥା ହେବେ ବୋଲି ସେ ଆଶା କରୁଥିଲେ, ହେଲେ ସେପରି ହେଲାନି । ତେଣୁ ସେ ନିଜ ପଦରୁ ଇସ୍ତଫା ଦେଉଥିବା କଥା ସ୍ପଷ୍ଟ କରିଛନ୍ତି ।

ଖାଲି ସେତିକି ନୁହେଁ, ମମତାଙ୍କୁ ଲେଖିଥିବା ଚିଠିରେ ଜବାହାର ସରକାର ଦଳରେ ଥିବା ଭଷ୍ଟ୍ରାଚାର କଥା ମଧ୍ୟ ଉଠାଇଛନ୍ତି । ପଞ୍ଚାୟତ ଓ ନଗରପାଳିକା ଭଳି ସ୍ଥାନୀୟ ଅଞ୍ଚଳରେ ନେତାମାନେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି । ଯାହାଦ୍ୱାରା କି ବେଙ୍ଗଲ ଲୋକଙ୍କ କ୍ଷତି ହେଉଛି ।