କନକ ବ୍ୟୁରୋ : ହବିଷ୍ୟାଳୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ ମାସ ବ୍ୟାପୀ ଚାଲିଥିବା ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜି ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚି ହବିଷ୍ୟାଳୀ ମାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ମାସର ମହତ୍ତ୍ୱ ଅନେକ ରହିଛି । ଅନେକ ହବିଷ୍ୟାଳୀ ପୁରୀରେ ଏକାଠି ହୋଇଥାନ୍ତି । ମାସେ ଧରି ନିଷ୍ଠା ଓ ପବିତ୍ରତାର ସହ ବ୍ରତ କରିଥାନ୍ତି । ୨୫ଶହ ହବିଷ୍ୟାଳୀଙ୍କ ପାଇଁ ଚଳିତ ବର୍ଷ ୫ଟି ସ୍ଥାନରେ ବ୍ୟବସ୍ଥା ହୋଇଛି ।
ଚଳିତ ବର୍ଷ ୩କୋଟି ୩୦ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଛି । ହବିଷ୍ୟାଳୀ ଯୋଜନାକୁ ସୁଦୃଢ଼ କରାଯିବ। ପୁରୀରେ ବିଶ୍ୱସ୍ତରୀୟ ମ୍ୟୁଜିୟମ, ଲାଇବ୍ରେରୀ ସହ ତୀର୍ଥଯାତ୍ରୀଙ୍କ ସୁବିଧାକୁ ଆଧୁନିକୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହବିଷ୍ୟାଳି କେନ୍ଦ୍ର ପରିସରରେ ଏ ନେଇ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ସ୍ୱତନ୍ତ୍ର କିଟ୍ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ଓ ଜଗତସିଂହପୁର ସାଂସଦ, ସତ୍ୟବାଦୀ, ପୁରୀ, ପିପିଲି, ବ୍ରହ୍ମଗିରି ବିଧାୟକ, ଜିଲ୍ଲାପାଳ, ଏସ୍ପି ଉପସ୍ଥିତ ଥିଲେ ।
ସେହିପରି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ଓ ଜାତୀୟ ଶିକ୍ଷା ସଂସ୍ଥାନ ଉତଥାନ ନ୍ୟାସ ନୂଆଦିଲ୍ଲୀର ତତ୍ତ୍ୱାବଧାନରେ ରାଷ୍ଟ୍ରୀୟ ସଙ୍ଗୋଷ୍ଠିରେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ସନ୍ଦର୍ଭରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତୀୟ ଶିକ୍ଷା ନୀତିର ବ୍ୟବହାର ଓ ତୃଣମୂଳ ସ୍ତରରୁ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।