କନକ ବ୍ୟୁରୋ:  ବିଭିନ୍ନ କାରଣ ନେଇ ଆଜିର ଜୀବନଶୈଳୀ ଅତ୍ୟନ୍ତ ଜଟିଳ ହୋଇଛି, ଯେଉଁଥିପାଇଁ ଲୋକ ଚାପଗ୍ରସ୍ତ ରହୁଛନ୍ତି । କିନ୍ତୁ ଛୋଟ କାରଣ ଭାବରେ ବିଚାର କରି ଟେନସନକୁ ଅଣଦେଖା କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କର ସମସ୍ୟା ଆହୁରି ବଢ଼ିବ । ଟେନସନ ଦୂର କରିବାର ଅର୍ଥ ନୁହେଁ ଯେ ଆପଣ ପ୍ରତିଯୋଗିତାର ଦୌଡ଼କୁ ଛାଡ଼ିଦିଅନ୍ତି  । କିନ୍ତୁ କିଛି ଜୀବନଶୈଳୀରେ ପରିବର୍ତ୍ତନ ସହିତ, ଆପଣ ଆପଣଙ୍କ ଚାପକୁ ହ୍ରାସ କରି ଖୁସି ଏବଂ ଟେନସନ ମୁକ୍ତ ଜୀବନ ବିତାଇ ବାରେ ସହାଯ୍ୟ କରିବ । ଅନ୍ୟଥା ଷ୍ଟ୍ରେସ୍ ଭିତରେ ମୂଲ୍ୟବାନ ଜୀବନ ଛନ୍ଦି ହୋଇପଡ଼ିବ , ଆପଣ ଅସ୍ତବ୍ୟସ୍ତ ଭଳି ଅନୁଭବ କରିବେ । କାରଣ ଟେନସନ୍ ଶରୀର ପାଇଁ ସ୍ଲୋ ପଏଜନ୍ ଭଳି କାମ କରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି ।

Advertisment

ନିଜର ଯତ୍ନ ନିଅନ୍ତୁ : ନିଶା ସେବନ ଯେପରି ମଦ୍ୟପାନ, ନିଦ୍ରା ଜନିତ ଔଷଧ ନେବାରୁ ନିଜକୁ ଦୂରେଇ ରଖନ୍ତୁ । ବରଂ ସନ୍ତୁଳିତ ଆହାର ଗ୍ରହଣ କରିବା ସହ ୬ରୁ ୭ ଘଣ୍ଟା ଶୋଇବାକୁ ସମୟ ଦିଅନ୍ତୁ । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ନିୟମିତ ବ୍ୟାୟାମ କରନ୍ତୁ ।

ଆତ୍ମବିଶ୍ବାସକୁ ଆଧାର କରନ୍ତୁ :  ଦୁଶ୍ଚିନ୍ତାରୁ ଦୂରେଇ ରହିବାକୁ ତଥା ମାଂସପେଶୀଗୁଡ଼ିକୁ  ଆରାମ ଦେବାକୁ ଧ୍ୟାନ, ଯୋଗ , ପ୍ରାଣାୟାମ କରିବା ସହ ପ୍ରାକୃତିକ ପରିବେଶରେ ସମୟ ବିତାନ୍ତୁ । ସଠିକ୍ ବାଟ ବତାଉଥିବା ଜଣେ ବା କିଛି ସାଙ୍ଗଙ୍କ ସହ କଥାବାର୍ତ୍ତା ହୋଇ ସମୟ କାଟନ୍ତୁ । କିନ୍ତୁ ସବୁବେଳେ ଜଣେ ଭଲ ସାଙ୍ଗକୁ ବାଛିବା ବି ଗୁରୁତ୍ବପୂର୍ଣ୍ଣ ।

ବ୍ରେକ୍ ନିଅନ୍ତୁ : ଲଗାତାର କାମ କରିବା ଅପେକ୍ଷା କାମ ମଝିରେ କିଛି ସମୟର ବ୍ରେକ୍ ନେବାକୁ ଭୂଲନ୍ତୁ ନାହିଁ । କାରଣ ଏପରି କଲେ ଆପଣଙ୍କ ମସ୍ତିଷ୍କକୁ ଆରାମ ମିଳିବା ସହ ତାର ରଚନାତ୍ମକ କ୍ଷମତା ବଢ଼ିଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି । 

ସାମାଜିକ ବ୍ୟବସ୍ଥାରେ ରୁହନ୍ତୁ : ଏହା କହିବାର ଅର୍ଥ ଆଜିକାର ବ୍ୟସ୍ତ ବହୁଳ ଜୀବନଶୈଳୀ ଅନେକ ସମୟରେ ଦୁଶ୍ଚିନ୍ତାକୁ ବରଣ କରୁଛି । କାମ ବ୍ୟସ୍ତତା ଯୋଗୁଁ କାହା ସହିତ ମିଳିମିଶା କରିବା ସାକ୍ଷାତ କରିବାକୁ ସମୟ ରହୁନି  । କେବଳ କାମର ଚାପ ମସ୍ତିଷ୍କକୁ ଚାପଗ୍ରସ୍ତ କରୁଛି , ଅନେକ ସମୟରେ କାମର ଚାପ ହେଉ କି ବ୍ୟକ୍ତିଗତ କିଛି ସମସ୍ୟା ମଣିଷକୁ ଏଭଳି ଚାପଗ୍ରସ୍ତ କରେ ଯେ କିଛି ଜଣ ଆତ୍ମହତ୍ୟାର ବାଟ ବାଛିବା ଦେଖିବାକୁ ମିଳୁଛି । କିନ୍ତୁ ସମାଜିକ ବ୍ୟବସ୍ଥା ଭିତରେ ରହିଲେ ଅର୍ଥାତ୍ ଲୋକଙ୍କ ସହ ମିଳାମିଶା ଓ କଥାବାର୍ତ୍ତାରେ ଆପଣଙ୍କୁ ହୁଏତ ଏସବୁରୁ ମୁକୁଳିବାର ବାଟ ମିଳିଯିବ । ଏହା ବ୍ୟତୀତ କାହା ସହ ଟିକେ କଥାବାର୍ତ୍ତା  ହୋଇଗଲେ ମନ ଅନେକ ମାତ୍ରାରେ ହାଲକା ହୋଇଯାଏ ।

ସାମାନ୍ୟ ଦିନଚର୍ଯ୍ୟା ପାଳନ କରନ୍ତୁ : ଜୀବନକୁ ଜଟିଳ କରନ୍ତୁ ନାହିଁ । ସବୁବେଳେ ଏକ ସାମାନ୍ୟ ଜୀବନଚର୍ଯ୍ୟାକୁ ପାଳନ କରିବାକୁ ଚେଷ୍ଟା କରନ୍ତୁ ।ପ୍ରତିଦିନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଏବଂ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ ଏବଂ ରାତିରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟରେ ଏବଂ ଶୀଘ୍ର ଶୋଇବାକୁ ଚେଷ୍ଟା କରନ୍ତୁ । ଏହାସହ ଠିକ ସମୟରେ ନିଜର ଖାଦ୍ୟ ଖାଇବାକୁ  ଚେଷ୍ଟା କରନ୍ତୁ । 

ଖାଲି ଏତିକି ନୁହେଁ ଆଉ ଏକ ଭଲ ଟିପ୍ସ ହେଉଛି କିଛି ସାମାଜିକ ହିତକର କାମରେ ନିଜକୁ ନିୟୋଜିତ ରଖନ୍ତୁ । ଯେମିତି ଗରୀବଙ୍କୁ ଖାଇବାକୁ ଦେବା, ବୁଲା ପଶୁଙ୍କ ସେବା କରିବା , ଗଛ ରୋପଣ କରିବା ଏଭଳି କାମ କରିବା ଦ୍ବାରା ମନରେ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ ।

ସବୁଠୁ ଭଲ ସାଙ୍ଗ, ବହି ପଡ଼ିବାକୁ ଭୁଲନ୍ତୁ ନାହିଁ । କାରଣ ଗୋଟେ ଭଲ ବହି ଜୀବନର ଅନେକ ଭଲ କଥା ଶିଖାଇଦିଏ , ବଞ୍ଚିବାର ବାଟ ଦେଖାଇଦେବାରେ ସହାୟକ ହୋଇଥାଏ ।