କନକବ୍ୟୁରୋ : ସମୟ ସହ ବଦଳୁଛି ଦୁନିଆ। ହେଲେ ବଦଳି ନାହିଁ ଆଦିବାସୀ ପରମ୍ପରା ଓ ସଂସ୍କୃତି। ପ୍ରକୃତି ସହ ବଞ୍ଚୁଥିବା ରାୟଗଡ଼ା କନ୍ଧ ଜନଜାତି ଏବେବି ଜାବୁଡ଼ି ଧରି ରଖିଛନ୍ତି ନିଜ ସଂସ୍କୃତି ଓ ପରମ୍ପରାକୁ। ଏମାନଙ୍କ ସ୍ୱଭାବ ଯେମିତି ସରଳ, ଜୀବନଶୈଳୀ ବି ଠିକ୍ ସେମିତି। ସରଳ ହେବା ବିଲକୁଲ୍ ସହଜ ନୁହେଁ। ପରିବେଶକୁ ଭଲ ପାଆନ୍ତି। ଜଳ, ଜମି, ଜଙ୍ଗଲ ପାଇଁ ସବୁବେଳେ ଉତ୍ସର୍ଗୀକୃତ। ପୂଜାପାଠରେ ବି ବିଶ୍ବାସ ରଖନ୍ତି। ଯେକୌଣସି ଶୁଭକାମ କରିବା ପୂର୍ବରୁ ପ୍ରକୃତି ମାଆକୁ ପୂଜା କରିଥାନ୍ତି। ଏଇ ଯେମିତି ଧାନ ବିହନ ବୁଣିବା ଆଗରୁ ବିହନକୁ ପ୍ରଥମେ ନିଜ ଇଷ୍ଟ ଦେବତାଙ୍କ ନିକଟରେ ସମର୍ପଣ କରି ପାଳନ କରନ୍ତି ବିଚା ପାର୍ବୁ।
ଏବେ ଖରିଫ ଚାଷ ଚାଲିଛି। ଓଡ଼ିଆ ଘରେ ମୁଖ୍ୟତଃ ଅକ୍ଷୟ ତୃତୀୟାରୁ ଚାଷ ଅନୁକୂଳ ହୋଇଥାଏ। ହେଲେ ଆଦିବାସୀ ପରମ୍ପରା ଟିକେ ନିଆରା। କାରଣ ପରିବେଶ ସହ ଜଡ଼ିତ ଆଦିବାସୀଙ୍କ ପ୍ରଥା, ପରମ୍ପରା। ସେମାନଙ୍କ ଚାଲିଚଳଣି ବି ଅନ୍ୟମାନଙ୍କୁ ଠାରୁ ନିଆରା। ଗାଁ ଦାଣ୍ଡରେ ଲିପା ପୋଛା ସହ ଝୋଟି ଚିତା ପଡ଼ିଛି। କନ୍ଧ ଜନଜାତିର ପୂଜକ ବେଜୁଣି ଏକ ବିଶେଷ ପୂଜା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏଇ ପୂଜାର ନାଁ କୁଇ ଭାଷାରେ ବିଚା ପାର୍ବୁ। କିନ୍ତୁ ସାଧାରଣ ଲୋକମାନେ ଏହାକୁ ବିହନ ପରବ ବୋଲି କହିଥାନ୍ତି।
ଚାଷ ଜମିରେ ବିହନ ବୁଣିବା ପୂର୍ବରୁ କନ୍ଦ ଜନଜାତିରେ ପାରମ୍ପରିକ ରୀତିରେ ଘରେ ସାଇତା ହୋଇଥିବା ବିହନକୁ ପୂଜା କରାଯାଏ। ଆଉ ସେହି ପୂଜା ବିହନକୁ ନିଜ ଜମିରେ ବୁଣିଲେ ଭଲ ଫସଲ ହବା ସହ ଘର ଧନଧାନ୍ୟ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ବେଜୁଣି ୭ଟି ସିଆଳି ପତ୍ର ଠୋଲାରେ ଚାଉଳ ରଖନ୍ତି ।
ସେହିଠାରେ ବିହନ ଓ କୃଷି ଉପକରଣ ରଖି ଧୂପଦୀପ ଦେଇ ପୂଜା କରିଥାନ୍ତି। ଇଷ୍ଟ ଦେବୀ ଜାଙ୍ଗିଡ଼ି ଦେବତାଙ୍କୁ ଆବାହନ କରିଥାନ୍ତି ବେଜୁଣି। ସୂର୍ଯ୍ୟ, ଇନ୍ଦ୍ର, ଧରଣୀ ପେନୁ, ହାରା ପେନୁ, ଗ୍ରାମ ଦେବତାଙ୍କୁ ଆବାହନ ସହ ପୂଜାରେ ସନ୍ତୁଷ୍ଟ କରେ ବେଜୁଣି। ପୂଜାରେ ବଳିପ୍ରଥା ବି ରହିଛି। ସୁପ୍ରିମକୋର୍ଟଙ୍କ କଟକଣା ସତ୍ତ୍ୱେ କୁକୁଡ଼ା, ଛେଳି ଓ ଘୁଷୁରି ବଳି ଦେଇଥାନ୍ତି।
ପୂଜା ପରେ ପାଣି ସିଞ୍ଚନ କରି ବିହନକୁ ବିଶୋଧନ କରାଯାଏ। ସେହି ବିଶୋଧିତ ବିହନକୁ ନେଇ କନ୍ଧ ଜନଜାତି ଡଙ୍ଗର ପାହାଡ଼ରେ ବିହନ ବୁଣିଥାନ୍ତି। କନ୍ଧ ଜନଜାତିଙ୍କ ପ୍ରତିଟି ଗାଁରେ ବିଚା ପାର୍ବୁ ପାଇଁ ଦିଶାରି, ଜାନି, ସାଉନ୍ତା ଓ ବେଜୁଣିକୁ ଡାକି ବୈଠକ କରନ୍ତି ଗ୍ରାମବାସୀ। ବୈଠକରେ ବିଚା ପାର୍ବୁ ଦିନ ଧାର୍ଯ୍ୟ କରି ଲଗ୍ନ ବାହାର କରନ୍ତି ଦିଶାରୀ। ଜାନି ଓ ସାଉନ୍ତା ପୂଜା ପାଇଁ ସମସ୍ତ ବ୍ୟବସ୍ଥା କରିଥାନ୍ତି। ବିଶେଷ କରି ଧାନ, ମାଣ୍ଡିଆ, କାନ୍ଦୁଲ, ଜନା ବିହନକୁ ନେଇ ଏହି ବିଚା ପାର୍ବୁ ପାଳନ ହୋଇଥାଏ। ପ୍ରକୃତି ପ୍ରତି ସମର୍ପଣ ଭାବ ପାଇଁ ଏମାନଙ୍କୁ ପ୍ରକୃତି ପ୍ରେମୀ ବୋଲି ବିବେଚନା କରାଯାଏ।