କନକ ବ୍ୟୁରୋ : ବେଳେବେଳେ କିଛି ଘଟଣା ଦେଖିଲେ ମନରେ ପ୍ରଶ୍ନରେ ଉଠେ, ଆମେ କିଭଳି ସମାଜରେ ବଞ୍ଚିଛୁ । ଯେଉଁଠି ମଣିଷ ତା’ ରାଗ, ଅହଙ୍କାର ଆଗରେ ରକ୍ତ ସମ୍ପର୍କକୁ ଭୁଲିଯାଉଛି । ମାନବିକତା ଉପରେ ଭାରିପଡୁଛି ଜାତିଆଣ ଭେଦଭାବ। ପରିବାରଲୋକ ପର କରିଦେଉଛନ୍ତି। ଅନୁଗୁଳ ଆଠମଲ୍ଲିକ ଥାନା ଅନ୍ତର୍ଗତ ସରଧାମୁଣ୍ଡ ଗାଁରୁ ଆସିଛି ସେମିତି ବିବ୍ରତ କରିବା ଭଳି ଖବର । ଭିନ୍ନଜାତିରେ ବିବାହ କରିବାରୁ ମୃତଦେହକୁ ମିଳିଲା ନାହିଁ ଚାରି କାନ୍ଧ। ସ୍ୱାମୀଙ୍କ ମୃତଦେହକୁ ଖଟିଆରେ ବୋହି ମଶାଣିକୁ ନେଲେ ସ୍ତ୍ରୀ ଓ ଝିଅ ।
ଏମାନଙ୍କ ଦୁନିଆ ଅନ୍ଧାର ହୋଇଯାଇଛି । ସ୍ୱାମୀଙ୍କ ମରଶରୀରକୁ ଘରେ ରଖି ସଂପର୍କୀୟଙ୍କୁ ଅପେକ୍ଷା କଲେ ସ୍ତ୍ରୀ। ହେଲେ କେହି ଆସିଲେ ନାହିଁ। ଶେଷରେ ନିରାଶ ହୋଇ ସବୁ ଦୁଃଖକଷ୍ଟକୁ ନିଜ ଛାତିରେ ଚାପି ଧରି ଶବକୁ ମଶାଣିକୁ ସତ୍କାର କରିଛନ୍ତି ସ୍ତ୍ରୀ ଓ ପିଲା । ସରଧାମୁଣ୍ଡାର ପ୍ରକାଶ ପ୍ରଧାନ। ୨୦୧୦ରେ ରୀତା ବିଶ୍ବାଳକୁ ବିବାହ କରିଥିଲେ। ରୀତା ଭିନ୍ନଜାତିର ହୋଇଥିବାରୁ ଉଭୟ ପରିବାର ଲୋକ ଏହାକୁ ଗ୍ରହଣ କଲେ ନାହିଁ। ଆଉ ଏବେ କିଡନୀ ରୋଗରେ ପ୍ରକାଶଙ୍କ ମୃତ୍ୟୁ ପରେ ବି ପରିବାର ଲୋକ ଆସିଲେନାହିଁ ।