କନକ ବ୍ୟୁରୋ: ଚାଲିଛି ଆଇପିଏଲ ୨୦୨୫ । ଆଉ ପ୍ରତିଦିନ କିଛି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ତେବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ୱାଇ ଆଉ ଲକ୍ଷ୍ନୌ ମ୍ୟାଚରେ । ଯେଉଁ ମ୍ୟାଚରେ ତିଲକ ବର୍ମାଙ୍କୁ ମୁମ୍ୱାଇ ରିଟାୟର ଆଉଟ କରିଦିଆଯାଇଥିଲା । କୁହାଯାଉଛି ଯେ ଧିମା ବ୍ୟାଟିଂ ପାଇଁ ତିଲକଙ୍କୁ ରିଟାୟର ଆଉଟ ହେବାକୁ ପଡ଼ିଥିଲା । ଟିମକୁ ଲାଗିଥିଲା କି ତାଙ୍କ ସ୍ଥାନରେ ଟିମର ଅନ୍ୟ କେଉଁ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିବେ । ତେବେ ମୁମ୍ୱାଇ ଇଣ୍ଡିଆନ୍ସର କୋଚ ଏହି ନିଷ୍ପତ୍ତିର କାରଣ କହିଛନ୍ତି । 

Advertisment

ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦୩ ରନ କରିଥିଲା । ଏହି ଟାର୍ଗେଟକୁ ପିଛା କରୁଥିବା ମୁମ୍ୱାଇର ଆରମ୍ଭ ଭଲ ରହିନଥିଲା । ହେଲେ ନମନ ଧୀର ଓ ସୂର୍ଯ୍ୟକୁମାର ଯାଦବ ଚମତ୍କାର ବ୍ୟାଟିଂ କରିଥିଲେ । ଯେମିତି ପ୍ରେସର ବଢିଚାଲିଥିଲା ଗୋଟିଏ ପରେ ଗୋଟିଏ ଓ୍ୱିକେଟ ଗଳି ଚାଲିଥିଲା । ସୂର୍ୟ୍ୟକୁମାର ଓ ନମନ ଆଉଟ ହେବା ପରେ ତିଲକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଆରମ୍ଭରୁ ଆସି କିଛି ଚୌକା ମାରିଥିଲେ । ହେଲେ ତିଲକଙ୍କ ଧିମା ବ୍ୟାଟିଂ ଦଳ ଉପରେ ଭାରି ପଡ଼ିଥିଲା । 

ଏହି କଇଁଛ ଗତିର ବ୍ୟାଟିଂ ଜମାରୁ ତିଲକ ବର୍ମାଙ୍କୁ ସୁହାଇନଥିଲା । କାରଣ ଅତିତରେ ଆଇପିଏଲରେ ସେ ବଡ଼ ବଡ଼ ଛକା ମାରି ଟିମକୁ ଜିତାଇଥିବାର ଦେଖିବାକୁ ମିଳିଥିଲା । ହେଲେ ଯେଉଁ ସମୟରେ ଟିମ ଜିତିବାକୁ ମାତ୍ର ୭ ବଲରେ ୨୪ ରନର ଆବଶ୍ୟକତା କରୁଥିଲା, ସେତେବେଳେ ତିଲକଙ୍କ ବ୍ୟାଟିଂ ଉପରେ ଭରସା କରିପାରିନଥିଲା ଦଳ । କାରଣ ସେ ଯେଉଁ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରୁଥିଲେ ଦଳକୁ ଲାଗିଥିଲା ସେ ମ୍ୟାଚ ଜିତାଇ ପାରିବେନି । ଆଉ ତାଙ୍କ ସ୍ଥାନରେ ଅନ୍ୟ ବ୍ୟାଟ୍ସମ୍ୟାନ ଦଳକୁ ବିଜୟୀ କରାଇପାରିବ । ତେଣୁ ୧୮ ଓଭରର ପଞ୍ଚମ ବଲରେ ତାଙ୍କୁ ରିଟାୟର ଆଉଟ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ସେ ପଡ଼ିଆ ଛାଡି ପାଭିଲିୟନ ଫେରିଯାଇଥିଲେ । ତାଙ୍କ ସ୍ଥାନରେ ମିଚେଲ ସାଣ୍ଟନର ଆସିଥିଲେ । ହେଲେ ବି ମ୍ୟାଚ ଜିତିପାରିନଥିଲା ମୁମ୍ୱାଇ ଇଣ୍ଡିଆନ୍ସ । 

ତେବେ ଏମିତି ମ୍ୟାଚ ଅଧାରୁ ଜଣେ ଖେଳାଳିଙ୍କୁ ଅଧାରୁ ରିଟାୟର ଆଉଟ କରିବାକୁ ସହଜରେ ଗ୍ରହଣ କରିପାରିନଥିଲେ ଫ୍ୟାନ । ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ଯାହା ପରେ ମୁହଁ ଖୋଲିଥିଲେ ମୁମ୍ୱାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ ମାହେଲା ଜୟ ବର୍ଦ୍ଧନେ । ସେ କହିଥିଲେ, ଯେତେବେଳେ ଆମେ ଓ୍ବିକେଟ ହରାଉଥିଲୁ ସେତେବେଳେ ତିଲକ ଟିମ ପାଇଁ ଭଲ ପ୍ରଦର୍ଶନ କରିଥିଲେ । ଆଉ ସୂର୍ଯ୍ୟକୁମାରଙ୍କ ସହ ମିଶି ସେ ଭଲ ପାର୍ଟନରସିପ ବି କରିଥିଲେ । ହେଲେ ଦଳକୁ ଜିତିବାକୁ ଦ୍ରୁତ ଗତିରେ ରନର ଦରକାର ହେଉଥିଲା । ଯାହା ସେ କରିପାରିନଥିଲେ । ତାଙ୍କ ଉପରେ ଭରସା ଥିଲା । କାରଣ ସେ ଯେତିକି ସମୟ କ୍ରିଜରେ ରହିଥିଲେ ବଡ ସଟ୍ ଖେଳିବାକୁ ପୂରା ସକ୍ଷମ ଥିଲେ । କିନ୍ତୁ ସେ ଖେଳିପାରିଲେନି । ଶେଷରେ ମୋତେ ଲାଗିଥିଲା ଏହି ସ୍ଥାନରେ ଅନ୍ୟ ଏକ ଖେଳାଳି ଦରକାର । ଯିଏ ବଡ଼ ସଟ ଖେଳି ମ୍ୟାଚ ଜିତାଇପାରିବ । 

ତେବେ ମୁମ୍ୱାଇର ମ୍ୟାଚରେ ଏମିତି ଘଟଣାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଜଣେ ଖେଳାଳିଙ୍କୁ ଏମିତି ଅଧା ମ୍ୟାଚରୁ ରିଟାୟର ଆଉଟ କରିଦେବା କେତେ ଦୂର ତାକୁ ନେଇ ପ୍ରଶ୍ନ ଉଠୁଛି ।