କନକ ବ୍ୟୁରୋ: ଓଡ଼ିଶା ପାର ହୋଇ ଝାଡ଼ଖଣ୍ଡ ଜଙ୍ଗଲରେ ଘୁରିବୁଲୁଛି ବାଘୁଣୀ 'ଜୀନ୍ନତ୍'। ଗତ ୮ ତାରିଖ ରବିବାର ରାତିରେ ଶିମିଳିପାଳରୁ ପାଖାପାଖି ୫୦ କି.ମି ରାସ୍ତା ଅତିକ୍ରମ କରି ଝାଡ଼ଖଣ୍ଡରେ ପହଞ୍ଚିଛି। ୩ ଦିନ ହେଲା ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଜଙ୍ଗଲରେ ବିଚରଣ କରୁଛି ଜୀନ୍ନତ୍। ଆଜି ସେ ଝାଡ଼ଖଣ୍ଡ ଚାକୁଳିଆ ଅଞ୍ଚଳର ରଜାବସା ଜଙ୍ଗଲରେ ବୁଲୁଥିବା ନେଇ ସୂଚନା ମଳିଛି।
ତେବେ ଜୀନ୍ନତକୁ ଶିମିଳିପାଳକୁ ଫେରାଇ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ଗତକାଲି ବାରିପଦାରୁ ବାହାରି ଝାଡ଼ଖଣ୍ଡ ପହଞ୍ଚିସାରିଛି। ଏହି ଟିମରେ ବନବିଭାଗର ଅନେକ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ବାଘୁଣୀ ଜୀନ୍ନତ୍ ଉପରେ ଏବେ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ବନବିଭାଗର ଟିମ୍ ନଜର ରଖିଛନ୍ତି। ସମୟ ଓ ସୁବିଧା ଦେଖି ବାଘୁଣୀକୁ ଟ୍ରାଙ୍କୁଳାଇଜ୍ କରି ଫେରାଇଆଣିବା ପାଇଁ ପ୍ରୟାସ କରାଯିବ।