କନକ ବ୍ୟୁରୋ : ସରିଲା ବାରବାଟୀରେ ଟିକେଟ୍ ବିକ୍ରି । ଅଫଲାଇନରେ ୧୦ହଜାର ୮୦ ଟିକେଟ୍ ବିକ୍ରି ହେବା ପରେ ବନ୍ଦ ହୋଇଛି କାଉଣ୍ଟର । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । ତେବେ ଟିକେଟ୍ ପାଇଁ ଧାଡ଼ିରେ ଏହାଠାରୁ ଅଧିକ ଦର୍ଶକ ଥିବାରୁ ଅନେକ ନିରାଶ ହୋଇଛନ୍ତି । ଅନ୍ୟପଟେ ଟିକେଟ୍ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆସିଛି । ଆଶା ଠାରୁ ଅଧିକ ଲୋକ ଆସିବାରୁ ଭିଡ଼ ନିୟନ୍ତ୍ରଣ କରିବାରେ ପୁଲିସକୁ ସମସ୍ୟା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ସ୍ଥିତି ସ୍ବାଭାବିକ ହୋଇଥିଲା । ତେବେ ସନ୍ଧ୍ୟାରେ ଟିକେଟ୍ କାଉଣ୍ଟରରେ ଭିଡ଼ ପୁଣି ବଢ଼ିଥିଲା । କଳେ ବଳେ କୌଶଳେ ଟିକେଟ୍ ପାଇବା ପାଇଁ କାଉଣ୍ଟର ଆଡ଼କୁ ଜୋର ଜବରଦସ୍ତି ଧସେଇ ପଶିଥିଲେ କିଛି ଲୋକେ । ଯାହାକୁ କାବୁ କରିଥିଲା ପୁଲିସ । ଏବେ ଟିକେଟ୍ ବିକ୍ରି ସରିଥିଲେ ବି ଟିକେଟ୍ କଳାବଜାରୀ ଉପରେ ପୁଲିସର ନଜର । ଟିକେଟ୍ କଳାବଜାରୀ କଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।
OLXରେ ଟିକେଟ
ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ନେବାକୁ କାଉଣ୍ଟର ଆଗରେ ଲୋକଙ୍କ ଗହଳି । ଗୋଟିଏ ଟିକେଟ୍ ପାଇଁ ଲୋକେ ସଂଘର୍ଷ କରୁଛନ୍ତି । ଏହାରି ଭିତରେ ମାତିଛନ୍ତି ଦଲାଲ । କାଉଣ୍ଟରରୁ ଟିକେଟ୍ ନେଇ ଅନଲାଇନରେ କରୁଛନ୍ତି ବ୍ଲାକ । ଓଏଲଏକ୍ସ ଓ ଫେସବୁକରେ ଟିକେଟ ବ୍ଲାକ କରୁଛନ୍ତି ଦଲାଲ । ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ସରିଯାଇଥିବା କୁହାଯାଉଥିବା ବେଳେ ଅନଲାଇନରେ ଟିକେଟ ବ୍ଲାକ ହେବା ଆରମ୍ଭ ହେଲାଣି ।