କନକ ବ୍ୟୁରୋ: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିବା ପରେ କୌଣସି ଫଳାଫଳ ବିନା ଡ୍ର'ରେ ସମାପ୍ତ ହୋଇଛି । ଏହି ମ୍ୟାଚର ଅନ୍ତିମ ଦିନଟି ସମ୍ପୂର୍ଣ୍ଣ ଭାବେ ଭାରତୀୟ ବ୍ୟାଟରଙ୍କ ସପକ୍ଷରେ ରହିଥିଲା, ଟିମ୍ ଇଣ୍ଡିଆର ତିନିଜଣ ବ୍ୟାଟର ଶତକ ହାସଲ କରି ସିରିଜରେ ଇଂଲଣ୍ଡର ଅପରାଜେୟ ଅଗ୍ରଣୀ ହାସଲ କରିବାର ଆଶାକୁ ଧୂଳିସାତ୍ କରିଦେଇଛନ୍ତି ।

Advertisment

ମ୍ୟାଚର ଶେଷ ହେବାର ଏକ ଘଣ୍ଟା ପୂର୍ବରୁ ଏକ ମଜାଦାର ଘଟଣା ଦେଖିବାକୁ ମିଳିଥିଲା । ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସ ରବୀନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦରଙ୍କୁ ମ୍ୟାଚ୍ ଡ୍ର' କରିବା ପାଇଁ ହାତ ମିଳାଇବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ଭାରତୀୟ ବ୍ୟାଟରମାନେ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ । ସେହି ସମୟରେ ଜାଡେଜା ୮୯ ଏବଂ ସୁନ୍ଦର ୮୦ ରନ୍‌ କରି ଖେଳୁଥିଲେ ଏବଂ ଉଭୟ ନିଜ ନିଜ ଶତକର ନିକଟତର ଥିଲେ ।

ଷ୍ଟୋକ୍ସଙ୍କ ଚେହେରାରେ ନିରାଶା

ଟେଷ୍ଟ କ୍ରିକେଟର ନିୟମ ଅନୁଯାୟୀ, ଉଭୟ ଅଧିନାୟକଙ୍କ ସହମତିରେ ମ୍ୟାଚକୁ ଡ୍ର' ଘୋଷଣା କରାଯାଇପାରେ । କିନ୍ତୁ ଭାରତୀୟ ଖେଳାଳିମାନେ ପଡ଼ିଆ ନଛାଡ଼ିବାକୁ ମନସ୍ଥ କରିଥିଲେ । ସେହି ସମୟର ଷ୍ଟୋକ୍ସ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଭାରତୀୟ ବ୍ୟାଟରମାନେ ସେମାନଙ୍କର ବ୍ୟକ୍ତିଗତ ମାଇଲଖୁଣ୍ଟରେ ପହଞ୍ଚିବାକୁ ଚାହୁଛନ୍ତି ବୋଲି ସ୍ପଷ୍ଟ ସଙ୍କେତ ଦେଇଥିଲେ ।

ଇଂଲଣ୍ଡର ଖେଳାଳିମାନେ ମଧ୍ୟ ଏହି ନିଷ୍ପତ୍ତିରେ ଅସହଜ ମନେ କରୁଥିଲେ। ଜ୍ୟାକ୍ କ୍ରଲି ଏବଂ ବେନ୍ ଡକେଟ୍ ଷ୍ଟୋକ୍ସଙ୍କୁ ପଚାରୁଥିବାର ଶୁଣିବାକୁ ମିଳିଥିଲା ଯେ ଭାରତ କାହିଁକି ଖେଳ ଜାରି ରଖିବାକୁ ଚାହୁଁଛି। ଷ୍ଟୋକ୍ସ ପରିହାସ କରି କହିଥିଲେ, "କ'ଣ ଆପଣମାନେ ହ୍ୟାରି ବ୍ରୁକ୍ ଏବଂ ବେନ୍ ଡକେଟଙ୍କ ବିପକ୍ଷରେ ଶତକ କରିବାକୁ ଚାହୁଁଛନ୍ତି କି? ଯଦି ଶତକ କରିବାର ଥିଲା, ତେବେ ଏହିପରି ପୂର୍ବରୁ ବ୍ୟାଟିଂ କରିବା ଉଚିତ୍ ଥିଲା।" ଏହାର ଜବାବରେ ଜାଡେଜା ହସି ହସି କହିଥିଲେ ଯେ ସେ କ’ଣ ଚାହୁଁଛନ୍ତି ଯେ ଆମେ ଏମିତି ଚାଲିଯିବୁ। ସେ କିଛି କରିପାରିବେ ନାହିଁ।

ଏହା ସତ୍ତ୍ୱେ ଜାଡେଜା ନିଜ ବ୍ୟାଟରେ ଜବାବ ଦେବା ଜାରି ରଖିଥିଲେ। ଷ୍ଟୋକ୍ସ ଏହାର ପ୍ରତିବାଦ ସ୍ୱରୂପ ହ୍ୟାରି ବ୍ରୁକ୍‌ଙ୍କୁ ବୋଲିଂ କରିବାକୁ ଆଣିଥିଲେ, କିନ୍ତୁ ଜାଡେଜା ଏହି ସୁଯୋଗର ଫାଇଦା ଉଠାଇ ଏକ ଚମତ୍କାର ଛକା ମାରି ନିଜର ପଞ୍ଚମ ଟେଷ୍ଟ ଶତକ ପୂରଣ କରିଥିଲେ। ୱାଶିଂଟନ ସୁନ୍ଦର ମଧ୍ୟ ୧୦୧ ରନରେ ଅପରାଜିତ ରହିଥିଲେ।

ଇଂଲଣ୍ଡର ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନବାଚୀ

ଶେଷରେ ଯେତେବେଳେ ମ୍ୟାଚ୍ ଶେଷ ହେଲା, ଇଂଲଣ୍ଡ ଖେଳାଳିଙ୍କ ନିରାଶା ସ୍ପଷ୍ଟ ଦେଖାଯାଉଥିଲା । ଇଂଲଣ୍ଡ ବୋଲର ଜାଡେଜା ଓ ସୁନ୍ଦରଙ୍କୁ ଅତି ସାଧାରଣ ବୋଲିଂ କରିଥିଲେ । ଯାହା ଇଂଲଣ୍ଡର ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହାସତ୍ତ୍ୱେ, ଭାରତ କେବଳ ଏହି ମ୍ୟାଚରୁ ଡ୍ର' ହାସଲ କରିନାହିଁ, ବରଂ ଏହା ମଧ୍ୟ ଦର୍ଶାଇ ଦେଇଛି ଯେ ସେ କେବେବି ହାର ମାନେ ନାହିଁ ।

ଏହି ମ୍ୟାଚ୍‌ ଡ୍ର' ହେବା ସହିତ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି, କିନ୍ତୁ ଅନ୍ତିମ ଟେଷ୍ଟ ପୂର୍ବରୁ ଭାରତ ପୁଣିଥରେ ସିରିଜରେ ଜୀବନ ଭରି ଦେଇଛି । ବର୍ତ୍ତମାନ ଓଭାଲରେ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯିବ, ଯେଉଁଥିରେ ଟିମ୍ ଇଣ୍ଡିଆ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।