କନକ ବ୍ୟୁରୋ: ରାସ୍ତା କଡ଼ରେ ବସୁଥିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବ । ଭେଣ୍ଡିଂ ଜୋନ୍‌ରେ ବିକ୍ରି ବଟା ହେବ । ଏହା ଦ୍ୱାରା ସହରର ଉପୁଜୁଥିବା ଟ୍ରାଫିକ ସମସ୍ୟା ଦୂର ହୋଇପାରିବ। ଏମିତି କିଛି ଉଦ୍ଦେଶ୍ୟ ନେଇ ନିର୍ମାଣ ହୋଇଥିଲା ଭେଣ୍ଡିଂ ଜୋନ୍‌ । ହେଲେ ଏସବୁ ପାଣି ଫୋଟକା ପରି ମିଳେଇଯାଇଛି । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ସହରଠାରୁ କିଛି ଦୂରରେ ନିର୍ମାଣ ହୋଇଛି ଭେଣ୍ଡିଂ ଜୋନ୍‌ । ୩୦ଟି ଦୋକାନ ଘର ରହିଛି । ହେଲେ ନିର୍ମାଣର ଦୀର୍ଘବର୍ଷ ପରେ ବି ଏଗୁଡ଼ିକୁ ବ୍ୟବସାୟୀଙ୍କୁ ବଣ୍ଟନ କରାଯାଇନାହିଁ । ବ୍ୟବହାରରେ ନଲାଗି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଦୋକାନ ଚାରିପଟ କୃତ୍ରିମ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । କାର୍ଯ୍ୟକ୍ଷମ ନହୋବାରୁ ସଞ୍ଜ ହେଲେ ଏଠି ଜମୁଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ । 

Advertisment

୨୦୨୦-୨୧ ଆର୍ଥିକ ବର୍ଷରେ ୬୪ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହୋଇଥିଲା ଭେଣ୍ଡିଂ ଜୋନ୍‌ । ଉଠା ଦୋକାନୀଙ୍କ ସୁବିଧା ପାଇଁ ପୌର ପରିଷଦ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନେଇଥିଲା ଏହାର ନିର୍ମାଣ ଦାୟିତ୍ବ । ହେଲେ ଏବେ ଏହା ବ୍ୟବହାର ଅନୁପଯୋଗୀ ।

କାହା ସ୍ବାର୍ଥରେ ଭେଣ୍ଡିଂ ଜୋନ୍‌ ? 
କେତେ ବର୍ଷ ପରେ କରାଯିବ କାର୍ଯ୍ୟକ୍ଷମ ? 
ଏ ସବୁ ପ୍ରଶ୍ନ ଭିତରେ ସହର ଠାରୁ ଦୂରରେ ଥିବାରୁ ବ୍ୟବସାୟୀ ଏଠାରେ ବେପାର କରିବାକୁ ଅମଙ୍ଗ ହେଉଥିବା କହୁଛନ୍ତି ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ । ସହରର ବର୍ଦ୍ଧିତ ଜନ ସଂଖ୍ୟା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଭେଣ୍ଡିଂ ଜୋନ୍‌କୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ଦରକାର ।