କନକ ବ୍ୟୁରୋ: କଟକ ରିଙ୍ଗରୋଡ୍ ସମ୍ପ୍ରସାରଣ କାର୍ଯ୍ୟ ସମୟରେ ଘଟିଥିବା ଦୁର୍ଘଟଣାର ତଦନ୍ତ କରିବ ୩ ଜଣିଆ ବୈଷୟିକ କମିଟି । ୧୫ ଦିନ ମଧ୍ୟରେ କମିଟି ତଦନ୍ତ କରି ରିପୋର୍ଟ ଦେବ । ଆଜିଠାରୁ ତଦନ୍ତ ଆରମ୍ଭ ହେବ । ଏନେଇ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଶନିବାର ସନ୍ଧ୍ୟାବେଳେ କଟକ ଖାନନଗରରେ ବ୍ରିଜ୍ କାମ ଚାଲିଥିବା ବେଳେ ଯାଇଛି ୩ ଜଣଙ୍କର ଜୀବନ । କାମ ଚାଲିଥିବା ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ମାନଙ୍କର ଚିକିତ୍ସା କଟକ ଏସସିବି ମେଡ଼ିକାଲରେ ଚାଲିଛି । ଖାନନଗରଠାରେ କାଠଯୋଡ଼ି ବ୍ରିଜ୍ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ସ୍ଲାବ୍ ଖସିପଡ଼ିବାରୁ ଏହା ତଳେ ୫ ଜଣ ଶ୍ରମିକ ଚାପି ହୋଇ ରହିଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଏସସିବି ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି । କ୍ରେନର ବ୍ୟାଣ୍ଡ ଛିଡ଼ିପଡ଼ିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଜିଲ୍ଲାପାଳ, କଟକ ଡିସିପି,ମେୟର ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପରିଚୟ ମିଳିଛି, ମୃତକ ମାନେ ହେଲେ ସାଇଟ୍ ଇଞ୍ଜିନିୟର ସୌମ୍ୟରଞ୍ଜନ ମଲ୍ଲିକ, ଶିବଶଙ୍କର ପଟ୍ଟନାୟକ ଓ ସୁବାସ ଚନ୍ଦ୍ର ଭକ୍ତ । ସେହିପରି ୨ ଆହତ ହେଉଛନ୍ତି ଅରୁଣ ବାରିକ ଏବଂ ବିକଳ ଜେନା । ଏସସିବିରେ ଆହତଙ୍କୁ ଭେଟିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।